ଘରେ ଘରେ ତ୍ରିରଙ୍ଗା ଅଭିଯାନ

0
601

ଭାରତ ୭୫ତମ ସ୍ୱାଧୀନତାର ବାର୍ଷିକୀ ପାଳନ କରିବାକୁ ଯିବାବେଳେ ଚଳିତବର୍ଷ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ନିଜ ଦେଶବାସୀଙ୍କୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ସବୁଠି ଚର୍ଚ୍ଚାର ବିଷୟ ହୋଇଛି । କାରଣ ସ୍ୱାଧୀନତା ଦିବସ ପାଳନ କହିଲେ ଆଜିଯାଏଁ କେବଳ ସରକାରୀସ୍ତରୀୟ କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ହୋଇଆସିଛି । ଦେଶର ଜନତା ବ୍ୟକ୍ତିଗତ ଭାବରେ ଏହିଦିନ ନିଜ ଘରେ ତ୍ରିରଙ୍ଗା ଉଡାଇବା ସହ ଏହି ଆନନ୍ଦୋତ୍ସବରେ ସାମିଲ ହେବାକୁ ଚାହିଁଲେ ମଧ୍ୟ ଜାତୀୟ ପତାକାର ବିଧି ଯୋଗୁ ଅନେକେ ଭୟ କରି ନିଜ ଘରେ ତ୍ରିରଙ୍ଗା ଉଡାଇନଥାନ୍ତି । ଅତୀତରେ ପତାକାର ସମ୍ମାନ, ଉଡାଇବାର ସମୟ ଆଦିକୁ କେନ୍ଦ୍ର କରି ଅନେକ ଅଭିଯୋଗ ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବାର ଦୃଷ୍ଟିକୁ ଆସିଛି । ହେଲେ ଚଳିତବର୍ଷ ପତାକାର ନିୟମରେ କେନ୍ଦ୍ର ସରକାର ସଂଶୋଧନ ଆଣିବା ସହ ସାଧାରଣ ଲୋକଙ୍କୁ ଏହି ମହୋତ୍ସବରେ ସାମିଲ ହେବାପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଯାହା ଫଳରେ ଗ୍ରାମଠୁ ସହର ସବୁଠି ଏଥିପାଇଁ ବେଶ୍ ଉତ୍ସାହ ବୃଦ୍ଧି ହେବା ପରିଲକ୍ଷିତ ହୋଇଛି । ୨୩ ଜୁଲାଇ ଦିନ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରି ୧୨ରୁ ୧୫ଅଗଷ୍ଟ ୨୦୨୨ରେ ଦେଶବାସୀଙ୍କୁ ନିଜ ନିଜର ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତା ଦିବସକୁ କେବଳ ସରକାରୀ କାର୍ଯ୍ୟକ୍ରମ ଭିତରେ ସୀମିତ ନରଖି ଏହା ସହ ଜନସାଧାରଣଙ୍କୁ ସାମିଲ କରିବା, ପାଳନରେ ସେମାନଙ୍କୁ ଅଂଶୀଦାର କରିବା ଲକ୍ଷ୍ୟରେ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ୱାନ ଦିଆଯାଇଛି ।

ବିଗତ ଦିନରେ ଦେଖାଯାଇଛି ଯେ ଦେଶର କେତେକ ସ୍ଥାନରେ ବିଚ୍ଛିନ୍ନତାବାଦ ଏବଂ ସନ୍ତ୍ରାସବାଦ ଯୋଗୁ ଜାତୀୟ ପତାକା ଉତ୍ତୋଳନ କରିବା ମଧ୍ୟ କଷ୍ଟକର ହୋଇଆସିିଛି । ଆଜକୁ ପ୍ରାୟ ତିନିଦଶନ୍ଧି ପୂର୍ବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍‌କାଳୀନ ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କ ସହ ତ୍ରିରଙ୍ଗା ପତାକା ଶ୍ରୀନଗରର ଲାଲଚୌକଠାରେ ଉଡାଇବା ଲାଗି ପଦଯାତ୍‌୍ରା ଅଭିଯାନ ଚଳାଇବାକୁ ବାଧ୍ୟ ହୋଇଥିଲେ । କେବଳ ସେତିକି ନୁହେଁ ନିକଟ ଅତୀତରେ ଜାମ୍ମୁ-କାଶ୍ମିିରରୁ ଧାରା ୩୭୦କୁ ଉଠାଯିିବା ପରେ ସେଠାକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଧମକ ଦେଇ କହିଥିଲେ ଯେ ତ୍ରିରଙ୍ଗା ପତାକା ଉଠାଇବାକୁ ଜାମ୍ମୁ -କାଶ୍ମିରରେ କାନ୍ଧ ମିଳିବ ନାହିଁ । ଅଥଚ ବୁରହାନ ବାନି ପରି ସନ୍ତ୍ରାସବାଦୀ ମୃତ୍ୟୁପରେ ଶବ ଶୋଭାଯାତ୍ରା ପାଇଁ ସେ ନିଜର କାର୍ଯ୍ୟକର୍ତ୍ତାମାନଙ୍କୁ ସେଥିରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ । ଏଥିରୁ ଜାଣିହେବ ଯେ କେତେକ ରାଜନେତା ଆପଣାଇ ଦଳୀୟ ରାଜନୀତିକ ସ୍ୱାର୍ଥ ପାଇଁ ରାଷ୍ଟ୍ରୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଛାଉନାହାନ୍ତି । ସାଧାରଣ ଲୋକଙ୍କ ମନରେ ଭୟସଂଚାର କରାଇ ନିଜର ପ୍ରାଧାନ୍ୟ ବିସ୍ତାର କରିବା ହେଉଛି ଏହିସବୁ ନେତାମାନଙ୍କର ଲକ୍ଷ୍ୟ । ଏମାନେ ଜାତି, ଧର୍ମ, ପ୍ରାନ୍ତ ଆଦିକୁ ଆଧାର କରି ଦେଶରେ ଅରାଷ୍ଟ୍ରୀୟ ବିଚାରଧାରାର ବିଷମଞ୍ଜି ବପନ କରିଆସିଛନ୍ତି । ଲୋକେ ସେମାନଙ୍କୁ ନେତା ଭାବେ ସ୍ୱୀକାର ନକଲେ, ନିର୍ବାଚନରେ ସେମାନଙ୍କୁ ଭୋଟ ନଦେଲେ କ୍ଷତିରେ ପଡିବେ ବୋଲି ଭୟ ଦେଖାଇ ଆସିଛନ୍ତି । ଯାହା ଫଳରେ ଅନେକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଗାନ କରିବା ମଧ୍ୟ ଦୁରୁହ ବ୍ୟାପାର ହୋଇଆସିଛି । ଜାତୀୟ ପତାକାର ଉତ୍ତୋଳନ ସେଠାରେ ବହୁତ ବଡକଥା । ବନ୍ଦେ ମାତରମ୍‌୍ ସଂଗୀତରେ ସଂସ୍କୃତର ଉଚ୍ଚାରଣ ରହିବା ଭାରତମାତାଙ୍କ ପ୍ରତି ଭକ୍ତିଭାବର ବର୍ଣ୍ଣନା ଇସଲାମର ପରିପନ୍ଥୀ, କୋରାନ ଏବଂ ଆଲ୍ଲାଙ୍କ ପ୍ରତି ଅସମ୍ମାନ ବୋଲି ପ୍ରଚାର କରି ଆସିଛନ୍ତି । ଏ ପ୍ରକାର ବିଭାଜନକାରୀ ମାନସିକତା କେବଳ ଏବେ ରହିଛି ବୋଲି ଭାବିବା ଠିକ୍ ନୁହେଁ । ଏପରିକି ଗାନ୍ଧିଜୀଙ୍କ ପ୍ରାର୍ଥନା ସଭାରେ ଉପସ୍ଥିତ ରହୁଥିବା ମୁସଲିମ ଲୋକେ ହାତ ନ ଯୋଡି ଚୁପ୍ ରହିଥିବା ବେଳର ଫଟୋ ଚିତ୍ର ଏବେ ମଧ୍ୟ ଦେଖିବାକୁ ଉପଲବ୍‌ଧ ରହିଛି । ଏଥିରୁ ଜଣାପଡିବ ଯେ ସ୍ୱାଧୀନତା ସଂଗ୍ରାମ ଚାଲିଥିବା ସମୟରେ ଗାନ୍ଧିଜୀଙ୍କ ସହ ନିକଟତର ଥିବା ନେତୃବୃନ୍ଦ ମଧ୍ୟ ଦେଶପ୍ରତି ନିଷ୍ଠାବାନ ନଥିଲେ କି ଗାନ୍ଧିଜୀଙ୍କ ପ୍ରତି ସଂପୂର୍ଣ୍ଣ ଶ୍ରଦ୍ଧା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କରୁନଥିଲେ । ସେମାନେ ଭାରତରୁ ଇଂରେଜମାନଙ୍କୁ ହଟାଇବାକୁ ଚାହୁଁଥିଲେ ସତ କିନ୍ତୁ ଦେଶକୁ ଏକାଠି ବା ଏକାତ୍ମ କରି ରଖିବାକୁ ଚାହୁଁନଥିଲେ । ସ୍ୱାଧୀନତା ସଂଗ୍ରାମରେ ସାମିଲଥାଇ ମଧ୍ୟ ଦେଶ ବିଭାଜନ ପାଇଁ ମନରେ ସ୍ୱପ୍ନ ରଖିଥିଲେ । ଯାହାକୁ ପରେ ଚରିତାର୍ଥ କରିବାକୁ ଡାଇରେକ୍ଟ ଆକ୍ସନରେ ସାମିଲ ହୋଇ ଦେଶ ବ୍ୟାପି ଗଣହତ୍ୟାର ଦଙ୍ଗାଗୋଳ ସୃଷ୍ଟି କରି ରକ୍ତର ବନ୍ୟା ଛୁଟାଇଥିଲେ । ଦେଶ ସ୍ୱାଧୀନତା ପୂର୍ବରୁ ଦେଶ ବିଭାଜନର ସେହି ଷଡଯନ୍ତ୍ର ଦେଶକୁ ଖଣ୍ଡବିଖଣ୍ଡିତ କରିଥିଲା । ଆଉ ଏବେ ମଧ୍ୟ ସେହି ମାନସିକତା, ରାଜନୈତିକ ବିଚାର ଓ ସଂସ୍କୃତିର ନେତାମାନେ ଦେଶରେ ରହିଛନ୍ତି । ଏମାନଙ୍କ ଶିରାପ୍ରଶିରାରେ ଦେଶପ୍ରେମ ବଦଳରେ ଦେଶଦ୍ରୋହର ଜୀବାଣୁ ଭରିହୋଇ ରହିଛନ୍ତି । ଯେଉଁଥିପାଇଁ ସେମାନଙ୍କର କାର୍ଯ୍ୟ, ବକ୍ତବ୍ୟ, ଭାଷଣରେ ଦେଶ ବଦଳରେ ଦେଶର ଶତ୍ରୁ ପ୍ରତି ଅଧିକ ଶ୍ରଦ୍ଧା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପ୍ରକାର ଦୁର୍ବଳ ରାଜନୈତିକ ସଂସ୍କୃତିକୁ ଲକ୍ଷ୍ୟକରି ଆସିଛନ୍ତି । ତେଣୁ ସେ ଦେଶବାସୀଙ୍କୁ ଏକାତ୍ମ କରିବା ଲକ୍ଷ୍ୟରେ ସ୍ୱାଧୀନତା ଦିବସକୁ ଗଣମହୋତ୍ସବରେ ପରିଣତ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଯାନରେ ନିଜ ମୋବାଇଲ ଯୋଗେ ଯୋଡି ହୋଇ ଅଂଶୀଦାର ହେବା ସହ ଏକ ପ୍ରମାଣପତ୍ର ପାଇବାର ବ୍ୟବସ୍ଥା କରିଛନ୍ତି । ସୀମିତ ସମୟ ମଧ୍ୟରେ କେବଳ ଖଦିର କପଡା ବଦଳରେ ଅନ୍ୟ କପଡାରେ ମଧ୍ୟ ଜାତୀୟ ପତାକା ପ୍ରସ୍ତୁତ କରି ୧୩୦କୋଟିରୁ ଅଧିକ ଜନତାଙ୍କ ଘରେ ପହଞ୍ଚାଇବା ପାଇଁ ଡାକଘରଠାରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାମିଲ କରିଛନ୍ତି । ଦେଶର ୨୦ କୋଟି ଘରେ ପତାକା ଉଡାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନ ଯୋଗୁ ପତାକା ପ୍ରସ୍ତୁତକାରୀ କାରିଗର, ବିକ୍ରେତା, କପଡା ଯୋଗାଣକାରୀମାନେ ଚଳିତବର୍ଷ ସର୍ବାଧିକ ଯୋଗାଣର ଆଦେଶ ପାଇଛନ୍ତି । ପୂର୍ବ ବର୍ଷଗୁଡିକ ତୁଳନାରେ ସେମାନଙ୍କ ଲାଭ ବହୁଗୁଣିତ ହେବ ଏଥିରେ ସନ୍ଦେହ ନାହିଁ । ସେମାନେ ଏବେ ଦିନରାତି ଏକକରି କାମରେ ଲାଗିପଡିଛନ୍ତି । ଗୋଟିଏ ଗୋଟିଏ ସ୍ଥାନରେ ୨୪ଘଣ୍ଟା ଧରି ପତାକା ପ୍ରସ୍ତୁତି ଜାରି ରହିଛି । ଦଳଦଳ କାରିଗର ନିଜ ନିଜ ସମୟାନୁସାରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ହର ଘର ତିରଙ୍ଗା ଆହ୍ୱାନ ଯୋଗୁ ଦେଶର ଜନତାଙ୍କ ମନରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯେ କେବଳ ଉତ୍ସାହ ପରିଲକ୍ଷିତ ହୋଇଛି ତା ନୁହେଁ । ସନ୍ତ୍ରାସବାଦଗ୍ରସ୍ତ ଜାମ୍ମୁ-କାଶ୍ମୀରର ଲାଲଚୌକଠାରୁ ଆରମ୍ଭ କରି ସେଠାକାର ଗ୍ରାମାଞ୍ଚଳର ଶିକ୍ଷାନୁଷ୍ଠାନ ଯାଏଁ ସବୁଠି ଏହି ଉତ୍ସବକୁ ପାଳନ କରିବାକୁ ଲୋକେ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି । ଉତ୍ତର ପ୍ରଦେଶର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ ପାଇଁ ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସାମିଲ ହେବାଲାଗି ଉତ୍କଣ୍ଠିତ ଅବସ୍ଥାରେ ରହିଛନ୍ତି । ଦେଶର ଗଳିକନ୍ଦିରେ ଶୋଭାଯାତ୍ରାମାନ ଜାରିରହିଛି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ପୂର୍ବରୁ କହିଛନ୍ତି ଯେ ଜାତୀୟ ପତାକା କେବଳ କପଡା ନୁହେଁ, ଦେଶର ସ୍ୱାଭିମାନ, ଦେଶର ସମ୍ମାନ ଏବଂ ଦେଶର ସ୍ୱାବଲମ୍ବନର ପ୍ରତୀକ,ଏହା ବାଣିଜ୍ୟ, ଅର୍ଥନୀତି, ରାଜନୀତିକୁ ପ୍ରଭାବିତ କରୁଛି । ବିଗତ ଦିନରେ ଚାଷୀ ଆନ୍ଦୋଳନ ବେଳେ ଖାଲିସ୍ଥାନୀଙ୍କ ପ୍ରରୋଚନାରେ ଲାଲକିଲ୍ଲାରେ ଖାଲିସ୍ଥାନୀ ପତାକା ଉଡାଇବାକୁ ପ୍ରୟାସ କରାଯିବା ଦେଶବାସୀ ଦେଖିଛନ୍ତି । ତ୍ରିରଙ୍ଗା ସ୍ଥାନରେ ହଳଦୀରଙ୍ଗର ଖାଲିସ୍ଥାନୀ ପତାକା ଉଡାଇବାକୁ ବିଦେଶରେ ଥିବା ସନ୍ତ୍ରାସୀ ଲୋକେ ଅର୍ଥ ଘୋଷଣା ମଧ୍ୟ କରିଥିଲେ । ବିଗତ ଦିନରେ ସେମାନେ ନୂଆ ନୂଆ ପ୍ରକାରେ ଆନ୍ତର୍ଜାତିକ ସ୍ତରରେ ଷଡଯନ୍ତ୍ର ଚଳାଇଛନ୍ତି । ଦେଶ ଭିତରେ ଅରାଷ୍ଟ୍ରୀୟ ଗୋଷ୍ଠୀଗୁଡିକ ଲୋକଙ୍କ ମଧ୍ୟରେ ବିଭାଜନକାରୀ ବିଚାର ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି । ଏସବୁର ସମ୍ମୁଖୀନ ହେଲାଲାଗି ଦେଶବାସୀଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ଦେଶକୁ ଏକାଠି କରିବାକୁ ଦେଶପ୍ରେମ ସୃଷ୍ଟି ପାଇଁ ବେଶ୍ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ ।

LEAVE A REPLY