ଆରବରେ ଭାରତୀୟ ବସ୍ତୁ ବର୍ଜନ ଅଭିଯାନ

ନିକଟରେ ବିଜେପିର ନେତ୍ରୀ ନୂପୁର ଶର୍ମା ଏବଂ ନେତା ନବୀନ କୁମାର ଜିନ୍ଦଲଙ୍କ ଇସଲାମ ସଂପର୍କୀତ ମନ୍ତବ୍ୟକୁ କେନ୍ଦ୍ର କରି ଦେଶ ଓ ଦେଶ ବାହାରେ ଏକ ସଂଗଠିତ ଢଙ୍ଗରେ ଭାରତ ବିରୋଧୀ ଅଭିଯାନ ଚାଲିବା ଦେଖିବାକୁ ମିଳିଛି । ଏପରିତି ଜାତିସଂଘ ମଞ୍ଚରେ ମଧ୍ୟ ଏହାକୁ ଉଠାଯାଇଛି । ଭାରତର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ କୁଏତ ଗସ୍ତ କରିବା ସମୟରେ ହିଁ ସେଠାରେ ଭାରତ ବିରୋଧୀ ପ୍ରଚାରକୁ ତୀବ୍ର କରାଯାଇଛି । କୁଏତ ସହରରେ ଥିବା ଅଲ ଅଦିୟା କୋ-ଅପରେଟିଭ ସୋସାଇଟୀର ମଲ  ମାନଙ୍କରୁ ଭାରତର ଚାହା ଏବଂ ଅନ୍ୟାନ୍ୟ ପ୍ୟାକେଟ ଖାଦ୍ୟ ସାମଗ୍ରୀଗୁଡିକୁ ଥାକରୁ ତଳକୁ ଓହ୍ଲାଇଦେବା କିମ୍ବା ଥାକଗୁଡିକୁ ଜରିରେ ଘୋଡାଇ ରଖାଯିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ସୁପରଷ୍ଟୋରର ସିଇଓ ନାସେର ଅଲ-ମୁତାଇରିଙ୍କ ବକ୍ତବ୍ୟ “ଆଲ୍ଲାଙ୍କ ଅସମ୍ମାନ ଯୋଗୁ ଆମେ ଭାରତୀୟ ବସ୍ତୁଗୁଡିକୁ ବିକ୍ରି କରିବା ବନ୍ଦ ରଖିଛୁ” ବୋଲି ପ୍ରକାଶ ପାଇଛି । କୁଏତର ଏହି ପ୍ରଚାର ପରେ ପରେ ମୁସଲିମ ରାଷ୍ଟ୍ର ସମୂହଙ୍କ ସଂଗଠନ ଓଆଇସି ଏବଂ ଆରବର କେତେକ ରାଷ୍ଟ୍ରପକ୍ଷରୁ ଭାରତ ବିରୋଧୀ ମନ୍ତବ୍ୟ ପ୍ରକାଶ ପାଇଛି । ଯେହେତୁ ଏମାନେ ୫୭ ମୁସଲିମ ରାଷ୍ଟ୍ର ସମୂହରେ ସଦସ୍ୟ ରହିଛନ୍ତି ଏଭଳି କରିବା ସ୍ୱାଭାବିକ । ସେମିତି ତାଲିବାନ ସରକାର ଭାରତ ସରକାରଙ୍କୁ ମାନବାଧିକାର, ଧାର୍ମିକ  ସ୍ୱାଧୀନତା, ଆଦି ବିଷୟରେ ଉପଦେଶ ଦେବା ବଡ ବିଚିତ୍ର । କିନ୍ତୁ ଏହି ଘଟଣା ଆଦୋ ଆକସ୍ମିକ ନୁହେଁ କିମ୍ବା ନୂପୁର ଓ ନବୀନଙ୍କ ପାଇଁ ମଧ୍ୟ ନୁହେଁ । ଏହାର କାରଣ ଭିନ୍ନ ରହିଛି, ଯଦିଓ ବାହାନା ଇସଲାମ ।

ଆରବ ଜଗତରେ ଆଜିଯାଏଁ କୁଏତ -ପାକ୍-ତୁର୍କୀ ମେଣ୍ଟ ଭାରତ ବିରୋଧୀ ପ୍ରଚାରର ନେତୃତ୍ୱ ନେଇ ଆସିଛନ୍ତି । କୁଏତ ଓ ତୁର୍କୀ ସାଉଦି ଆରବର ବିରୋଧୀ ରାଷ୍ଟ୍ର ରହିଥିଲା ବେଳେ ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଏବଂ ସାଉଦି ଆରବର ଭାରତ ସହ ସଂପର୍କ ଭଲ ରହିିଛି । ଏହି ଦୁଇ ରାଷ୍ଟ୍ରରେ ସବୁଠୁ ଅଧିକ ଭାରତୀୟ କାର୍ଯ୍ୟରତ ଥିଲାବେଳେ ବ୍ୟାଙ୍କସେବା, ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥାରେ ଭାରତର ସଂସ୍ଥା ଏବଂ ବ୍ୟବସାୟୀ ଆଗରେ ରହିଛନ୍ତି । ସେଠାକାର ପ୍ରଥମ ପ୍ରସୂତୀ ମହିଳା ଡାକ୍ତର ମହାରାଷ୍ଟ୍ରର ରହିଛନ୍ତି । ଆରବ ରାଷ୍ଟ୍ରଗୁଡିକରେ ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ବାଣିଜ୍ୟର କ୍ଷତି ପହଞ୍ଚାଇବା ପାଇଁ ଉପରୋକ୍ତ ତ୍ରିଶକ୍ତି ମେଣ୍ଟ ଆଜିଯାଏଁ କାର୍ଯ୍ୟରତ । କାତାରରେ ଥିବା ମୁସଲିମ ବ୍ରଦରହୁଡ ନାମକ ମୋଳବାଦୀ ଧାର୍ମିକ ସଂଗଠନ ଏବଂ କାତାରର ଅଲ ଜଜିରା ପରି ଖବର ପ୍ରଚାର ସଂସ୍ଥା ଭାରତର ସ୍ୱାର୍ଥ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ରହି କାର୍ଯ୍ୟ କରୁଛନ୍ତି । ଏକଥା ସତ ଯେ ମୁସଲିମ ସଂସ୍ଥା ଏବଂ ଉଗ୍ରବାଦୀମାନେ କାତାରରୁ ଅଧିକ ଅର୍ଥ ପାଇଥାନ୍ତି । ବିଶ୍ୱବ୍ୟାପି ଇସଲାମିକ ମୋଳବାଦ ବୃଦ୍ଧି ପଛରେ କାତାର ଆଜିଯାଏ ଆଗରେ ରହି କାର୍ଯ୍ୟ କରିଆସିଛି ।

ଆରବ ଜଗତରେ ଇସଲାମିକ ବ୍ରଦରହୁଡ ୨୦୧୮ରେ ସମାନ ଢଙ୍ଗରେ ପ୍ରଚାର ଚଳାଇଥିଲା । ସେବେଠାରୁ “ବୟକଟ ଇଣ୍ଡିଆନ ପ୍ରଡକ୍ଟସ” ପ୍ରଚାର ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ସମାନ ଢଙ୍ଗରେ “ବୟକଟ ଫ୍ରେଞ୍ଚ ପ୍ରଡକ୍ଟସ” ପ୍ରଚାର ମଧ୍ୟ ଏହି ସଂସ୍ଥା ଚଳାଇ ଆସିଛି । ଗତବର୍ଷ ୨୬ ସେପ୍ଟେମ୍ବର ୨୦୨୧ରେ “ବୟକଟ ଇଣ୍ଡିଆନ ପ୍ରଡକ୍ଟସ” ପ୍ରଚାର ଟ୍ୱିଟର ମାଧ୍ୟମରେ ଦେଖାଦେଇଥିଲା । ଫେବୃଆରୀ ୨୦୧୯ରେ “ଇସଲାମ ଫୋବିଆ ଇନ ଇଣ୍ଡିଆ” ପ୍ରଚାର ତବଲିଗ ଜମାତ ଘଟଣା ପରେ ପରେ ଜୋର ଧରିଥିଲା । କିନ୍ତୁ ଭାରତର ବାଣିଜି୍ୟକ କ୍ଷତି କରିବା ଲାଗି ୨୦୧୮ରୁ ୨୦୨୨ ଯାଏ ପାଞ୍ଚବର୍ଷ ଧରି ସବୁବର୍ଷ ବୟକଟ ଇଣ୍ଡିଆନ ପ୍ରଡକ୍ଟସ ପ୍ରଚାର ଚାଲିଆସୁଛି । ଗତବର୍ଷ ସେପ୍ଟେମ୍ବରରେ ଯେଉଁ ପ୍ରଚାର ଅଭିଯାନ ଚାଲିଥିଲା ତାର ମୂଳ ଟ୍ୱିଟର ଆକାଉଣ୍ଟ ଥିଲା ଅ ଊକ୍ଟବବ୧୮୮୯୫୪୫୫୨୧୧ା ଏହା  ଜୁଲାଇ ୨୦୨୧ରେ ଖୋଲାଯାଇଥିଲା । ଏହି ହାସଟାଗ୍କୁ  ଖେଳାଇଥିବା ପ୍ରଥମ ବ୍ୟକ୍ତି ଥିଲା ଫାରୁକ ଅଲ୍ -ଧାଫିରି । ମୁସଲିମ ବ୍ରଦରହୁଡ ସହ ସଂପୃକ୍ତ ଥିବା କେତେକ ପରିଚିତ ବ୍ୟକ୍ତି, ଗବେଷକ, ସାମ୍ବାଦିକଗଣ ଧାଫିରିର ଟ୍ୱିଟକୁ ପ୍ରସାରିତ କରାଇଥିଲେ । ମୁସଲିମ ବ୍ରଦରହୁଡର ଆରବୀ ନାମ ହେଲା ଅଲ-ଇଖ୍ୱାନ ଅଲ- ମୁସଲିମୁନ । ଏହି ସଂଗଠନ ଅତୀତରେ ଭିନ୍ନ ଭିନ୍ନ ରାଷ୍ଟ୍ରରେ ରାଜନୈତିକ ହତ୍ୟା, ବୋମା ବିସ୍ଫୋରଣ ପରି ଘଟଣାରେ ସଂପୃକ୍ତ ରହିଆସିଛି । କେବଳ ଇଜିପ୍ଟରେ ୧୩ଟି ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ଏହି ସଂଗଠନ ଜନ୍ମ ଦେଇଛି । ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଅମିରାତ ପରି ଆରବ ଦେଶରେ ଏହି ସଂସ୍ଥାକୁ ନିଷେଧ କରାଯାଇଛି । ଏହାର ପ୍ରତିଷ୍ଠାତା ହସନ ଅଲ ବାନ୍ନା । ପାଶ୍ଚାତ୍ୟ ଜଗତରେ ପ୍ରବେଶ କରି ଇସଲାମିକ ବ୍ୟବସ୍ଥାକୁ ପ୍ରତିଷ୍ଠା କରି ଅନ୍ୟମାନଙ୍କ ମତକୁ ଚାପିଦେବା ହସନଙ୍କ ଦର୍ଶନ ଥିଲା । ସେହି ଲକ୍ଷ୍ୟରେ ଆମେରିକାରେ ଆଇଏସ୍ଏନ୍ଏ, ଏମ୍ଏସ୍ଏ, ସିଏଆଇଆର୍, ଆଇସିଏନ୍ସି ପରି କେତେକ ସଂସ୍ଥା କାର୍ଯ୍ୟ କରୁଛନ୍ତି । ପୂର୍ବରୁ ପାଲେଷ୍ଟାଇନ, ଜୋର୍ଡାନ  ଏବଂ ଇଜିପ୍ଟରେ ଆମେରିକାରେ ମୁସଲିମ୍ ବ୍ରଦରହୁଡ ସକ୍ରୀୟ ରହିଥିଲେ ମଧ୍ୟ ଭାରତ ମାମଲାରେ ସଂପୃକ୍ତ ରହିନଥିଲା । ପ୍ରଥମେ ଏମାନଙ୍କ ଟାର୍ଗେଟରେ ସାଉଦି ପ୍ରିନ୍ସ ଏମ୍ବିଏସ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଥିଲାବେଳେ ଏବେ ଭାରତର ମୋଦୀ ସରକାର ଟାର୍ଗେଟରେ ସାମିଲ ହୋଇଛନ୍ତି । ଏହି ପ୍ରଚାରରେ କେତେକ ପେଶାଦାର ପ୍ର·ରବାଦୀ ପ୍ରମୁଖ ଭୂମିକା  ନେଇଛନ୍ତି । ସେମାନଙ୍କ ମଧ୍ୟରେ ମହମ୍ମଦ ଅଲ୍ -ସଘିର,ସାମି କମାଲ ଏଲଦୀନ, ଅହମ୍ମଦ ମୁଆଫାକ୍ ଜୈଦାନ,ୟାସେର ଆବୁ ହିଲାଲାହ, ଓମାର ଅବଦୁଲାଜିଜ୍ ଅନ୍ୟତମ ।

ମହମ୍ମଦ ଅଲ-ସଘିର ଭାରତ, ସାଉଦି ଆରବ, ଅମିରାତ, ଇରାନ, ଫ୍ରାନ୍ସ ବିରୋଧୀ ପ୍ରଚାର ଚଳାଇଥାଏ । ଟ୍ୱିଟରରେ ବର୍ଜନ ଅଭିଯାନ ଚଳାଇବା ସଘିରର ଏକ ପୁରୁଣା ଅଭ୍ୟାସ । ଫ୍ରାନ୍ସ ବିରୋଧୀ ପ୍ରଚାର ସେ ପୂର୍ବରୁ ଚଳାଇଥିଲା । ସଘିର ଇଣ୍ଟରନେସନାଲ ଇଉନିୟନ ଅଫ୍ ମୁସଲିମ ସ୍କଲାର୍ସର ବୋର୍ଡ ଅଫ୍ ଟ୍ରଷ୍ଟି ସଦସ୍ୟ ରହିଛି । ଏହି ସଂସ୍ଥାର ମୂଳ ଆରବୀ ନାମ ହେଉଛି ଅଲ୍ ଇତିହାଦ ଅଲ-ଅଲାମୀ  ଲି-ଉଲମା ଅଲ-ମୁସଲିମିନ୍ । ୨୦୦୪ରେ ଏହାର ସ୍ଥାପନା ଏବଂ ମୁଖ୍ୟକେନ୍ଦ୍ର କାତାରଠାରେ ରହିଛି । ମୁସଲିମ ବ୍ରଦରହୁଡର ଏହା ସର୍ବୋଚ୍ଚ ସଂସ୍ଥା  । ୟୁସୁଫ ଅଲ୍- କ୍ୱାରଦାୟି ଏହାର ମୁଖ୍ୟ । ଅନେକ ଦେଶରେ ଏହି ସଂଗଠନ ସମଲିଙ୍ଗୀଙ୍କୁ ହତ୍ୟା ଏବଂ ଆତ୍ମଘାତୀ ଆକ୍ରମଣକୁ ସମର୍ଥନ କରିବା କାରଣରୁ ଏହାକୁ ୨୦୧୭ରେ ଇଜିପ୍ଟ, ବାହାରିନ,ସାଉଦି ଆରବ , ୟୁନାଇଟେଡ୍ ଆରବ ଏମିରେଟ (ଅମିରାତ୍)ରେ ନିଷେଧ କରାଯାଇଥିଲା ।  ସନ୍ତ୍ରାସର ବିଚାରବାହକ ଭାବେ କ୍ୱାରଦାୟିକୁ ଆମେରିକା, ବ୍ରିଟେନ, ଫ୍ରାନ୍ସ ଆଦି ରାଷ୍ଟ୍ରରେ ପ୍ରବେଶବାରଣ କରାଯାଇଛି । କିନ୍ତୁ ସେ କାତାରର କୂଟନୀତିକ ପାସ୍ପୋର୍ଟ ପାଖରେ ରଖିଛି । ଫ୍ରାନ୍ସ ବସ୍ତୁ ବର୍ଜନ ଅଭିଯାନ ଚଳାଇବା ପାଇଁ ସେ ଅଲ୍ ଜଜିରା ଟିଭି କାର୍ଯ୍ୟକ୍ରମରେ ଅନେକ ଥର କହୁଥିବାର ଦେଖିବାକୁ ମିଳିଥିଲା । ଇଜିପ୍ଟର ପୂର୍ବତନ ସଂସଦର ଧାର୍ମିକ କମିଟିରେ ସଘିର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛି । ୧୯୯୭ରେ ଲକ୍ସର ଗଣହତ୍ୟାରେ ସାମିଲଥିବା ସନ୍ତ୍ରାସୀ ସଂଗଠନ ଅଲ୍ -ଜମା ଅଲ-ଇସଲାମିଆର ସେ ଜଣେ ସଦସ୍ୟ ବୋଲି ଅଭିଯୋଗ ହୋଇଛି । ପ୍ରଚାର ଅଭିଯାନର ଅନ୍ୟତମ ବ୍ୟକ୍ତିତ୍ୱ ହେଲା ସାମି କମାଲ ଏଲଦିନ । ଆରବ ଜଗତରେ ଭାରତର ବସ୍ତୁ ବର୍ଜନ ଅଭିଯାନ ଚଳାଇବାରେ ଅଗ୍ରଣୀ ରହିଥିବା ସାମି ଇଜିପଟର ସାମ୍ବାଦିକ ଏବଂ ଉପସ୍ଥାପକ ଭାବେ କାର୍ଯ୍ୟ କରୁଛି । ଏବେ ସେ ତୁର୍କୀର ଇସ୍ତାନବୁଲଠାରେ ରହୁଛି । ସାମିକୁ ଇଜିପ୍ଟ ସରକାର ଦୁଇଥର ସନ୍ତ୍ରାସବାଦୀ ଘୋଷଣା କରିସାରିଛନ୍ତି । ମିଛ ଖବରକୁ ପ୍ରଚାର କରିବାରେ ସେ ଧୂରନ୍ଧର । ଇସ୍ରାଏଲରୁ ଜେରୁଜେଲମକୁ ଆମେରିକାର କୂଟନୀତିକ କାର୍ଯ୍ୟାଳୟ ଉଠିଯିବା ପ୍ରସଙ୍ଗରେ ସେ ଇଜିପ୍ଟର  ଅନେକ ପ୍ରତିଷ୍ଠିତ ଲୋକଙ୍କ ନାମରେ ମିଛ ଭିଡିଓ ପ୍ରସ୍ତୁତ କରିଥିଲା, ଯାହା ପରେ ନିଉୟର୍କ ଟାଇମ୍ସ ହାତରେ ପଡିଥିଲା । ସେହି ଭିଡିଓରେ ସେ ଏକ ସମୟରେ  ଇଜିପଟ, ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଅନେକ ମିଛକଥା ରଖିଥିଲା, ଯାହା ଅନେକ ଚାନେଲରେ ପ୍ରସାରିତ ହୋଇଥିଲା । ଇଜିପ୍ଟର ପୂର୍ବତନ ସାଂସଦ ଅୟମାନ ନୋରଙ୍କ ଅଭିଯୋଗ କ୍ରମେ ୟୁଟୁ୍ୟବ୍ ଚାନେଲଟିକୁ ସେ ହଟାଇବାକୁ ବାଧ୍ୟ ହୋଇଥିଲା ।

କାତାରର ଦୋହାଠାରେ ବାସକରୁଥିବା ଅନ୍ୟ ଜଣେ ସିରିଆର ସାମ୍ବାଦିକ ଓ ଲେଖକ ହେଲା ଅହମ୍ମଦ ମୁଆଫାକ୍ ଜୈଦାନ । ସେ ମୁଖ୍ୟତଃ ଅଲ କାୟଦା ଏବଂ ତାଲିବାନ ସଂପର୍କୀତ ସମ୍ବାଦ ପ୍ରସ୍ତୁତ କରିଥାଏ । ଟ୍ୱିଟରରେ ଭାରତୀୟ ବସ୍ତୁ ବର୍ଜନ, ଇରାନୀୟ ବସ୍ତୁବର୍ଜନ, ପୁତିନ ହତ୍ୟାକାରା, ହତ୍ୟାକାରୀ ଭାରତ ଆଦି ହାସ୍ଟାଗ୍ ଟଳାଇବା ତାର ପୁରୁଣା ଅଭ୍ୟାସ । ୨୯ ସେପ୍ଟେମ୍ବର ୨୦୨୧ରେ ସେ ଭାରତୀୟ ବସ୍ତୁ ବର୍ଜନ ଅଭିଯାନ ଚଳାଇବାରେ ସକ୍ରୀୟ ରହିଥିଲା । ଆମେରିକାର ନେସନାଲ ସିକୁ୍ୟରିଟୀ ଏଜେନ୍ସୀ ଅହମ୍ମଦ ମୁଆଫାକ ଜୈଦାନକୁ ଅଲ କାୟଦା ଏବଂ ମୁସଲିମ ବ୍ରଦରହୁଡ ସହ ସଂପର୍କ ରଖିଥିବା ବ୍ୟକ୍ତିଙ୍କ ତାଲିକାରେ ରଖିଥିଲା । ପାକିସ୍ଥାନର ଇସଲାମାବାଦଠାରେ ଥିବା ଅଲ ଜଜିରା ଚାନେଲର ବୁ୍ୟରୋ ମୁଖ୍ୟ ଭାବେ ସେ ଦୀର୍ଘର୍ଦିନରୁ କାର୍ଯ୍ୟରତ । ଏହି ସମୟରେ ସେ ତାଲିବାନ, ଅଲକାୟଦା ଏବଂ ଓସାମା ବିନ ଲାଡେନ ସହ ମଧ୍ୟ ସଂପର୍କ ରଖିଆସିଛି । ହାସ୍ଟାଗ ଚଳାଇବାରେ ଅନ୍ୟ ଜଣେ ଧୂରନ୍ଧର ବ୍ୟକ୍ତି ହେଲା ଅଲଜଜିରା ନିଉଜ ଚାନେଲର ପୂର୍ବତନ ପରିଚାଳନା ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରିଥିବା ୟାସେର ଅବୁ ହିଲାଲାହ । ମୁସଲିମ୍ ବ୍ରଦରହୁଡ ସହିତ ଅବୁ ହିଲାଲାହର ସଂପର୍କ ନିବିଡ  ରହିଆସିଛି । ୨୭ଜୁନ୍ ୨୦୨୧ରେ ଇଜିପ୍ଟର ମୁସଲିମ ବ୍ରଦରହୁଡର ସନ୍ତ୍ରାସବାଦୀ ଘୋଷିତ ଅହମ୍ମଦ ଅଲ ବକରୀ ,ବ୍ରଦରହୁଡ ପରାମର୍ଶଦାତା ମଣ୍ଡଳୀର ପୂର୍ବତନ ମୁଖ୍ୟ ଖାଲେଦ ଅଲ- ମିଶ୍ରି ସହ ଲିବିୟାର ସାଧାରଣ ନିର୍ବାଚନ ସଂକ୍ରାନ୍ତରେ ମିଳିତ ଆଭାସୀ ଆଲୋଚନାରେ ହିଲାଲାହ ସାମିଲ ଥିଲା ।

କାନାଡାର ମଣ୍ଟି୍ରଲଠାରେ ବାସ କରୁଥିବା ସାଉଦି ଆରବର ଓମର ଅବଦୁଲାଜିଜ୍ ସାମାଜିକ ଗଣମାଧ୍ୟମରେ ସିରିଆ -ଇରାକରେ ସକ୍ରୀୟ ଥିବା ଆଇଏସ୍ଆଇଏସ୍ ଗୋଷ୍ଠୀ ସଂପର୍କରେ ପ୍ରଚାର କରିଥାଏ । ପାଲେଷ୍ଟାଇନରେ ସକ୍ରୀୟଥିବା ମୁସଲିମ ବ୍ରଦରହୁଡ ସମର୍ଥୀତ ଅନ୍ୟ ଏକ ଉଗ୍ରବାଦୀ ସଂଗଠନ ହାମାସର ସେ ଜଣେ ବଡ ସମର୍ଥକ । ଟ୍ୱିଟରକୁ ବାଦଦେଲେ ସେ ୟୁଟୁ୍ୟବ ମାଧ୍ୟମରେ  ଇସଲାମିକ ସନ୍ତ୍ରାସବାଦକୁ  ସମର୍ଥନ କରି ଭିଡିଓ ଛାଡିଥାଏ  । ସାଉଦି ଆରବର  ଯୁବରାଜ ମହମ୍ମଦ ବିନ ସଲ୍ମାନଙ୍କୁ ବିରୋଧ କରୁଥିବା ଓମର ୨୦୧୪ରୁ କାନାଡାରେ ରାଜନୈତିକ ଶରଣ ନେଇଛି ।

ଭାରତ ବିରୋଧୀ ପ୍ରଚାର ଚଳାଇବା କ୍ଷେତ୍ରରେ  ମୁସଲିମ  ବ୍ରଦରହୁଡ ସମର୍ଥିତ କେତେକ ମିଡିଆ ରହିଛି । ମିଛ ଖବର  ଚଳାଇବାରେ ଓସ୍ତାଦ ଏହିସବୁ ସଂସ୍ଥା ହେଲା ଅଲ୍ ଜଜିରା, ଟିଆର୍ଟି ୱାର୍ଲ୍ଡ, ରାସ୍ଡ  ନୁ୍ୟଜ, ଆରବୀ ୨୧ ନିଉଜ, ଅଲ-ଆରବୀ ଟିଭି ନିଉଜ,ଆମେରିକାରେ ପ୍ରକାଶିତ ପତ୍ରିକା ୱତନ ସର୍ବ । ଅଲ ଜଜିରା କାଶ୍ମୀରକୁ ଭାରତର ଅଂଶ ବୋଲି ଗ୍ରହଣ କରେନାହିଁ କି ମାନଚିତ୍ରରେ ମଧ୍ୟ ସ୍ଥାନ ଦେଇନଥାଏ, ଲାକ୍ଷାଦ୍ୱୀପ  ଏବଂ ଆଣ୍ଡାମାନ ଦ୍ୱୀପ ଭାରତର ବୋଲି ଦର୍ଶାଇନଥାଏ । ମିଛଖବର ଚଳାଇବାରେ ଏହା ଏକ ପୁରୁଣା ସଂସ୍ଥା । ଏହି ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରେ ଅନେକ ମୁସଲିମ ବ୍ରଦରହୁଡର ଘୋଷିତ  ସନ୍ତ୍ରାସବାଦୀ (ଆନ୍ତର୍ଜାତିକ ସ୍ତରରେ) ରହିଛନ୍ତି । ଆରବ ଜଗତରେ ଭାରତୀୟ ବସ୍ତୁ ବର୍ଜନ ଖବରକୁ୍ ଅଧିକ ଜୋର ଦେଇ ପ୍ରଚାର କରୁଥିବା ଅନ୍ୟ ଏକ ଗଣମାଧ୍ୟମ ହେଲା ତୁର୍କୀର ଟିଆର୍ଟି ୱାର୍ଲଡ ।  ଇସ୍ତାନବୁଲଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଫେସ୍ବୁକରେ ଏହି ସଂସ୍ଥା ଭାରତୀୟ ବସ୍ତୁ ବର୍ଜନ ଟ୍ୱିଟକୁ ବିଜ୍ଞାପନ ଆକାରରେ ଚଳାଇଆସିଛି । ଭାରତ ବିରୋଧୀ ମିଛ ଖବର ଏହି ସଂସ୍ଥା ଅନେକ ସମୟରେ ପ୍ରସାରିତ କରିଆସିଛି । ଇଜିପ୍ଟର ମୁସଲିମ ବ୍ରଦରହୁଡ ସହ ସଂପର୍କ ରଖି ଥିବା ଆମ୍ର ଫାରଙ୍ଗର ସଂସ୍ଥା ରାସ୍ଡ ନିଉଜ୍ ୨୫ ଜାନୁଆରୀ ୨୦୧୧ରୁ କାର୍ଯ୍ୟରତ । ଭାରତରେ ମୁସଲିମଙ୍କ ଉପରେ ଅତ୍ୟାଚାରକୁ କେନ୍ଦ୍ର କରି ଏହି ସଂସ୍ଥା ଅନେକ ମିଛ ଖବର ପ୍ରସାରିତ କରିଥାଏ ।  କାଇରୋଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି  । ଇଜିପ୍ଟର ଅନ୍ୟ ଏକ ସମ୍ବାଦ ପ୍ରସାରଣକାରୀ ଚାନେଲ ଆରବୀ ୨୧ ନିଉଜରେ ସାଉଦି ଆରବ ଏବଂ ଭାରତ ବିରୋଧରେ ଅନେକ ମିଛଖବର ପ୍ରସାରିତ ହୋଇଥାଏ,  ଯାହାକୁ କାତାର ପ୍ରୋତ୍ସାହନ ଦେଇଥାଏ । ଆଲଜେରିଆ ଅଞ୍ଚଳର ସଂଖ୍ୟାଧିକ ସନ୍ତ୍ରାସବାଦୀ ତାଲିବାନ ସଦୃଶ ଆକ୍ରମଣ କଲେ ରିୟାଦ ଏବଂ ଆବୁଧାବୀ ସହରର ପତନ ଖୁବ୍ କମ୍ ସମୟରେ ହେବ ବୋଲି ଏହି ସଂସ୍ଥା ପ୍ରଚାର କରିଥାଏ । ସେମିତି ଭାରତ ବିରୋଧୀ ଅନେକ ମିଛ ଖବରକୁ ଏହି ସଂସ୍ଥା ପ୍ରଚାର କରି ବଦନାମ କରିବାକୁ ଚେଷ୍ଟା କରିଥାଏ ।

୨୦୧୫ରେ ବ୍ରିଟେନରେ ଆରମ୍ଭ ହୋଇଥିବା ଅଲ ଆରବୀ ଟିଭି ନିଉଜର ମାଲିକାନା ଏକ କାତାରର କମ୍ପାନୀ ସାଦତ୍ ମିଡିଆ ହାତରେ ରହିଛି । ଅଲ ଜଜିରାରେ ୨୦୧୨ରୁ ୨୦୧୭ଯାଏ କାର୍ଯ୍ୟ କରିଥିବା ଲେବାନନ ନାଗରିକ ଆବ୍ବାସ ନାସେର  ଏହାର ନିଦେ୍ର୍ଦଶକ । କାତାର ସରକାରଙ୍କ ପ୍ରୋତ୍ସାହନରେ ଅମିରାତ ଏବଂ ସାଉଦି ଆରବକୁ ବିରୋଧ କରି ସମ୍ବାଦମାନ ଏହି ଚାନେଲରେ ପ୍ରସାରିତ ହୋଇଥାଏ ।୨୮ ସେପ୍ଟେମ୍ବର ୨୦୨୧ରେ ଭାରତୀୟ ବସ୍ତୁ ବର୍ଜନ ଖବରକୁ ଏହା ବାରମ୍ବାର ପ୍ରସାରିତ କରିଥିଲା । ଭାରତ ବିରୋଧୀ ଖବର ପ୍ରଚାରରେ ଏହି ସଂସ୍ଥା ଆଗରେ ରହିଛି ।

ଆମେରିକାରେ ପ୍ରକାଶ ପାଉଥିବା ଆରବୀ ସମ୍ବାଦପତ୍ର ୱତନ ସର୍ବ ଇସଲାମିକ ବ୍ରଦରହୁଡର ଅଂଶବିଶେଷ ଭାବେ କାର୍ଯ୍ୟକରୁଥିବା ସଂକ୍ରାନ୍ତରେ ୟୁଏଇ ସରକାର ପୂର୍ବରୁ ଅଭିଯୋଗ କରିଛନ୍ତି । ଏହା ୨୭ ସେପ୍ଟେମ୍ବର ୨୦୨୧ରେ ଭାରତୀୟ ବସ୍ତୁବର୍ଜନ ସଂକ୍ରାନ୍ତରେ ଏକ ସମ୍ବାଦ ପ୍ରକାଶ କରିବା ସହ ୱତନ ଡଟ୍କମ୍ ୱେବସାଇଟରେ “ବୟକଟ ଇଣ୍ଡିଆନ ପ୍ରଡକ୍ଟସ” ଖବରକୁ ମଧ୍ୟ ପ୍ରସାରିତ କରିଥିଲା ।

ଆରବ ଜଗତରେ ଭାରତର ରାଜନୀତିକ, ବାଣିଜି୍ୟକ, ପ୍ରତିରକ୍ଷା ସଂପର୍କ ବୃଦ୍ଧିକୁ କାତାର -ପାକ୍- ତୁର୍କୀର ତ୍ରିଶକ୍ତି ମେଣ୍ଟ ପସନ୍ଦ କରୁନଥିବାରୁ ପ୍ରତିବର୍ଷ ଭାରତୀୟ ବସ୍ତୁ ବର୍ଜନ  ପ୍ରଚାର ଚାଲିଆସୁଛି । ଭାରତର ବସ୍ତୁ ଆରବ ଜଗତରେ ପ୍ରବେଶ କରିବା ଏବଂ ଭାରତର ସହଯୋଗ ବୃଦ୍ଧିକୁ ଏମାନେ ନାପସନ୍ଦ କରୁଥିବା ହେତୁ ଉପରାଷ୍ଟ୍ରପତି ନାଇଡୁଙ୍କ କାତାର ଗସ୍ତ କାଳରେ ସେହି ପୁରୁଣା ପ୍ରଚାରକୁ ଆଉଥରେ ଦୋହରାଯାଇଛି । ଇଉରୋପ ଏବଂ ଆମେରିକାରେ ମଧ୍ୟ ଭାରତ ବିରୋଧୀ ପ୍ରଚାର କରି ସେଠାକାର ଜନତାଙ୍କୁ ଏମାନେ ପ୍ରଭାବିତ କରିବାକୁ ପ୍ରୟାସ ଚଳାଇଛନ୍ତି । ଭାରତ ସରକାର, ଗଣମାଧ୍ୟମ, ସାଧାରଣ ଜନତା ଏହି ଗାତ୍ରଦାହୀ ମେଣ୍ଟର ଘୃଣ୍ୟ କାର୍ଯ୍ୟ ସଂପର୍କରେ ସଚେତନ ରହିବା ନିହାତି ଜରୁରୀ ।

(ଭାସ୍)

LEAVE A REPLY