ପାକିସ୍ଥାନର ଭାରତ ବିରୋଧୀ ଷଡଯନ୍ତ୍ର

0
602

ଆମେରିକାରେ ଭାରତକୁ ଘେରିବା, ଭାବମୂର୍ତ୍ତି ଖରାପ କରିବା ଲକ୍ଷ୍ୟରେ ପାକିସ୍ଥାନ ତରଫରୁ ଯେଉଁସବୁ ପ୍ରକଳ୍ପ ଚାଲୁରହିଛି ତନ୍ମଧ୍ୟରେ ପ୍ରମୁଖ ଦୁଇଟି ହେଲା ଜଷ୍ଟିସ ଫର ଅଲ୍ ଏବଂ ସାଉଣ୍ଡ ଭିଜନ ସଂଗଠନ । ୨୭ ଏପ୍ରିଲ ୧୯୯୯ରେ ଆମେରିକାର ଇଲିନୋଇସ୍‌ଠାରେ (ଚିକାଗୋ) ଏହି ସ୍ୱେଚ୍ଛାସେବୀ ସଂଗଠନଟି ଅବଦୁଲ ମାଲିକ ମୁଜାହିଦଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିଲା । ପାକ୍ ମୂଳର ଆମେରିକା ନାଗରିକ ମାଲିକଙ୍କ ଏହି ସଂଗଠନଟି ଏବେ ଅଧ୍ୟକ୍ଷ ଡକ୍ଟର ଖୁର୍ସିଦ ମାଲିକ, ଉପାଧ୍ୟକ୍ଷ ଓସମାନ ମିଆଁ, ସଂପାଦକ ଅନୱର କାଜ୍‌ମୀ, ତିନି ନିର୍ଦ୍ଦେଶକ ଓସମାନ୍ ଡ୍ରାମେ,ଏମାଦ ଏଲ ତୁର୍କ ଏବଂ ଆୟେଶା କେ ମୁସ୍ତଫାଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ସଂଗଠନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀମାନେ ୱାସିଂଟନ ଡିସି, ନିଉୟର୍କ, ବୋଷ୍ଟନ, ଟେକ୍ସାସ ଏବଂ ଅନ୍ୟାନ୍ୟ ସ୍ଥାନରେ ରହିଛନ୍ତି । ଜେଏଫ୍‌ଏ (ଜଷ୍ଟିସ ଫର୍ ଅଲ୍‌) ହେଉଛି ମୁଖ୍ୟ ସଂଗଠନ ଯାହାର ଅଧିନରେ ସେଭ୍ ଇଣ୍ଡିଆ, ଫ୍ରି କାଶ୍ମିର, ଫେଥ୍ କୋଆଲିସନ, ବର୍ମା ଟାସ୍କଫୋର୍ସ ପରି ପ୍ରକଳ୍ପଗୁଡିକ ସଫଳତାର ସହ ଚାଲୁରହିଛି । ଏହାକୁ ଶକ୍ତି ଯୋଗାଉଥିବା ସଂଗଠନ ହେଉଛି ଚିକାଗୋସ୍ଥିତ ମେଡିଆ କମ୍ପାନୀ ସାଉଣ୍ଡ ଭିଜନ,ଯାହା ୧୯୮୮ରୁ କାର୍ଯ୍ୟକରୁଛି । ସାଉଣ୍ଡ ଭିଜନ ଫାଉଣ୍ଡେସନ ଟିକସ ଛାଡ ସୁବିଧା ଲାଭ କରୁଛି । ଏହିି ସଂସ୍ଥାକୁ ଇସଲାମିକ ସର୍କଲ ଅଫ ନର୍ଥ ଆମେରିକା ହିଁ ଆରମ୍ଭ କରିଥିଲା (୧୯୮୮) । ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାରେ ଇସଲାମିକ ଶିକ୍ଷାଦାନ ନିମିତ୍ତ ଆଇସିଏନ୍‌ଏର ମଲ୍‌ଟିମେଡିଆ ଶାଖା ଭାବେ ଏହାକୁ ଆରମ୍ଭ କରାଯାଇଥିଲା । ସାଉଣ୍ଡ ଭିଜନର ପୁୁରୁଣା ରେକର୍ଡରୁ ଯାହା ଜଣାପଡେ ୧୯୮୮ରେ ଅବଦୁଲ ମାଲିକ ମୁଜାହିଦ ସେମାନଙ୍କ ସହ କାର୍ଯ୍ୟ କରୁଥିବା ସମୟରେ ଏହା ଆରମ୍ଭ ହୋଇଥିଲା । ପାକିସ୍ଥାନ ଓ ଜମାତେ ଇସ୍‌ଲାମୀର ଏହା ଏକ ମିଳିତ ପ୍ରକଳ୍ପ ଥିଲା ।

ଜେଏଫ୍‌ଏ ବ୍ୟତୀତ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ସମେତ ଅନ୍ୟାନ୍ୟ ସଂଗଠନଗୁଡିକ ଆଇସିଏନ୍‌ଏ (ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକା) ସହ ମୂଳତଃ ଯୋଡି ହୋଇ ରହିଛନ୍ତି । ମାନବାଧିକାରର ଚତୁଃପାଶ୍ୱର୍ରେ ଏହି ସବୁ ସଂଗଠନଗୁଡିକ ଅନେକଗୁଡିଏ ଶାଖା ନାମରେ କାର୍ଯ୍ୟରତ । ଆମେରିକାରେ ହିନ୍ଦୁତ୍ୱକୁ ଧ୍ୱଂସ କରିବା ଲକ୍ଷ୍ୟରେ ୫୦ଟି ସଂଗଠନ ଏକାଠି ହୋଇ ସମ୍ମିଳନୀର ଆୟୋଜନ କରିବା ଅର୍ଥ ହେଉଛି ଯେ ସେମାନଙ୍କ ପଛରେ ଜେଏଫ୍‌ଏ ପରି ମୂଳ ସଂଗଠନ ରହିଛି ।

ଆମେରିକାରେ ଆଜିକାଲି ଅନେକଗୁଡିଏ ସଂଗଠନ ଭିନ୍ନ ଭିନ୍ନ ନାମରେ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କ ମଧ୍ୟରେ କିଛି ସମାନତା ରହିଛି । ତାହା ହେଲା ସେଥିରେ କାର୍ଯ୍ୟରତ ଲୋକମାନେ ଭାରତ ବିରୋଧୀ ମେଣ୍ଟରେ କାର୍ଯ୍ୟ କରୁଛନ୍ତି । ଏକଦା ସେମାନେ ଆମେରିକାରେ କାର୍ଯ୍ୟରତ ଆଇସିଏନ୍‌ଏ ପାଇଁ କାର୍ଯ୍ୟ କରୁଥିଲେ, ଯାହା ପାକିସ୍ଥାନର ଜମାତେ ଇସଲାମୀର ଆମେରିକା ଶାଖା ଭାବେ କାର୍ଯ୍ୟ କରୁଛି । ଏହି ମେଣ୍ଟରେ ଥିବା ଅବଦୁଲ ମାଲିକ ମୁଜାହିଦ, ଶେଖ ଉବୈଦ, ଅହମ୍ମଦୁଲ୍ଲା ସିଦ୍ଧିକୀ ପ୍ରମୁଖ ସମସ୍ତେ ଏକଦା ଇସଲାମିକ କାଉନସିଲ ଅଫ୍ ନର୍ଥ ଆମେରିକା ସହ କାର୍ଯ୍ୟ କରିଥିଲେ ।

ଆମେରିକା ମଧ୍ୟରେ ବୋସ୍‌ନିଆ ଟାସ୍କଫୋର୍ସ, କୋସୋଭା ଟାକ୍ସଫୋର୍ସ, ସାଉଣ୍ଡ ଭିଜନ, ଆଇସିଏନ୍‌ଏ, ଜଷ୍ଟିସ ଫର୍ ଅଲ୍ ପରି ଅନେକଗୁଡିଏ ପ୍ରକଳ୍ପ ଚଳାଉଥିବା ବ୍ୟକ୍ତି ହେଲେ ଅବୁଦୁଲ ମାଲିକ ମୁଜାହିଦ୍ । ପାକ୍‌ମୂଳର ଏହି ଆମେରିକୀୟ ନାଗରିକ ୧୯୮୮ରୁ ସାଉଣ୍ଡ ଭିଜନ ଫାଉଣ୍ଡେସନର ଆରମ୍ଭ ହେବା ଦିନଠାରୁ ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ରହିଆସିଛନ୍ତି । ବୋସ୍‌ନିଆ ଟାକ୍ସଫୋର୍ସ ଓ କୋସୋଭୋ ଟାସ୍କ ଫୋର୍ସର ସେ ରାଷ୍ଟ୍ରୀୟ ସଂଯୋଜକ, ଜଷ୍ଟିସ ଫର ଅଲ୍ ୧୯୯୯ରେ ସ୍ଥାପନା ଠାରୁ ତାର ଦାୟିତ୍ୱରେ ରହିଆସିଛନ୍ତି । ସେ ପାକିସ୍ଥାନର ଜମାତେ ଇସଲାମୀ ସହ ସଂପୃକ୍ତ । ପାକିସ୍ଥାନ ମୁଜାହିଦର ଦାରୁଲ ଉଲୁମ ଶାହ .ୱାଲିଉଲ୍ଲାରୁ ସ୍ନାତକପ୍ରାପ୍ତ ମୁଜାହିଦ ପାକିସ୍ଥାନର ଜମାତେ ଇସଲାମୀର ଛାତ୍ର ସଂଗଠନ ଜମାତେ ତଲାବାର ନେତୃତ୍ୱ ଅକ୍ଟୋବର ୧୯୭୫ରୁ ସେପ୍ଟେମ୍ବର ୧୯୭୭ପର୍ଯ୍ୟନ୍ତ ଗ୍ରହଣ କରିଥିଲେ । ସେ ତଲାବାର ମୁଖ୍ୟ ଦାୟିତ୍ୱରେ ଥିବା ସମୟରେ ୧୯୭୪ରେ ଆରମ୍ଭ ହୋଇଥିବା ଅୟୁବ ଠାକୁରଙ୍କ ଜାମ୍ମୁ କାଶ୍ମୀର ଷ୍ଟୁଡେଣ୍ଟସ୍ ଇସଲାମିକ ଅର୍ଗାନାଇଜେସନ ଜମାତେର ତଲାବା ସହ ୧୯୭୬-୭୭ରେ ମିଶିଯାଇଥିଲା । ଅୟୁବ ଠାକୁର ଆଇଏସ୍‌ଆଇର ନିକଟତମ ବ୍ୟକ୍ତି ଏବଂ ଆମେରିକାରେ କାର୍ଯ୍ୟରତ ଘୁଲାମ ନବି ଫାଇଙ୍କ ବିଶ୍ୱସ୍ତ ବ୍ୟକ୍ତି ଯିଏକି କାଶ୍ମିର ବିଷୟକୁ ବିଦେଶରେ ପ୍ରଚାର ପାଇଁ ବ୍ରିଟେନକୁ ଯିବା ସହ କାଶ୍ମିରରେ ସନ୍ତ୍ରାସବାଦ ଚାଲୁରଖିବା ଲାଗି ସେଠାରୁ ଅର୍ଥ ଯୋଗାଇଥାନ୍ତି ।

ପାକିସ୍ଥାନରେ ଜମାତେର ଛାତ୍ର ସଂଗଠନ ତଲାବାର ମୁଖ୍ୟ ଦାୟିତ୍ୱରେ ଦୁଇବର୍ଷ କାଳ କାର୍ଯ୍ୟ କଲାପରେ ମୁଜାହିଦ ଆମେରିକାକୁ ଯାଇ ଜମାତେ ଇସଲାମୀର ଆନ୍ତର୍ଜାତିକ ଶାଖା ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକାର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବା ବିଷୟ ସଂଗଠନର ପତ୍ରିକା ‘ଦି ମେସେଜ୍ ଇଣ୍ଟରନେସନାଲ’ର ୧୯୯୬ ସଂଖ୍ୟାରୁ ଜଣାପଡେ । ସେ ଆମେରିକାରେ ଆଇସିଏନ୍‌ଏର ପତ୍ରିକା ଦାୟିତ୍ୱରେ ଥିଲାବେଳେ ଇଉରୋପ,ଆମେରିକା, କାନାଡା ଏବଂ ଭାରତ ପରି ରାଷ୍ଟ୍ରରେ ସନ୍ତ୍ରାସବାଦୀ ଘୋଷିତ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ସୟଦ ସଲାହୁଦ୍ଦିନର ସାକ୍ଷାତକାରକୁ ପ୍ରକାଶ କରିଥିଲେ । ଏହି ଗୋଷ୍ଠୀ ୧୯୮୯ରେ ପାକିସ୍ଥାନରୁ କାର୍ଯ୍ୟାରମ୍ଭ କରିବା ସହ ସରକାରଙ୍କଠାରୁ ଅର୍ଥଲାଭ କରିଆସିଛି । ସେହି ସାକ୍ଷାତକାରରେ ଦି ମେସେଜ ଇଣ୍ଟରନେସନାଲ ପତ୍ରିକା ସଲାହୁଦ୍ଦିନର ମହିମାମଣ୍ଡିତ କରିବା ସହ କାଶ୍ମିରକୁ ଭାରତରୁ ବିଚ୍ଛିନ୍ନ କରି ପାକିସ୍ଥାନରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିବା ଉଲ୍ଲେଖ କରାଯାଇଥିଲା । ଆମେରିକାର ଚିକାଗୋରେ ରହି ସେଠାକାର ସ୍ଥାନୀୟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ (୧୯୮୧-୮୩) ମୁଜାହିଦ ସ୍ନାତକ ଶିକ୍ଷା ଶେଷ କରିଥିଲେ । ସେ ସିଆଇଓଜିସିର ଅଧ୍ୟକ୍ଷ (୨୦୦୫-୦୮) ରହିଥିବା ବିଷୟ ୨୦୧୦ର ଅର୍ଥ ଆୟବ୍ୟୟ ରିପୋର୍ଟରୁ ଜଣାପଡେ । ସେହିପରି କାଉନସିଲ ଅଫ୍ ଦି ୱାର୍ଲଡ ରିଲିଜିଅନ୍ସର ଅଧ୍ୟକ୍ଷ ଭାବେ ୧୫ ନଭେମ୍ବର ୨୦୦୯ରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଆମେରିକାରେ ଅନୁଷ୍ଠିତ ୨୦୦୮ ନିର୍ବାଚନ ସମୟରେ ମୁସଲିମ ଡେମୋକ୍ରାଟ ପ୍ରାର୍ଥୀଙ୍କୁ ଭୋଟ ଦେବାଲାଗି ମାଲିକ ମୁଜାହିଦ ସେଠାରେ ମୁସଲିମ ଡେମୋକ୍ରାର୍ଟ୍ସ ନାମରେ ଅନ୍ୟ ଏକ ଗୋଷ୍ଠୀ ଗଠନ କରିଥିଲେ । କୌଣସି ବିଷୟକୁ କେନ୍ଦ୍ର କରି ଲୋକମାନଙ୍କୁ ଏକାଠି କରିବା, ସେମାନଙ୍କୁ ରାଜନୈତିକ ପ୍ରଚାରରେ ସାମିଲ କରାଇବା, ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ଅଭିଯାନ ଚଳାଇବା ତାଙ୍କର କାର୍ଯ୍ୟ ଥିଲା । ଏହି ଗୋଷ୍ଠୀର ମୁଖ୍ୟ ଲକ୍ଷ୍ୟ ଥିଲା ୯ା୧୧ ପରବର୍ତ୍ତୀ ସମୟରେ ଜର୍ଜ ବୁଶ୍‌ଙ୍କ ନୀତିନିୟମକୁ ବଦଳାଇବା ସହ ବାରାକ ଓବାମାଙ୍କୁ ବିଜୟୀ କରାଇବା ପାଇଁ ଲବି କରିବା । ଏହା ମାଧ୍ୟମରେ ପାକିସ୍ଥାନ ପ୍ରତି ଆମେରିକାରେ ବ୍ୟାପ୍ତ ବିରୋଧାଭାବକୁ ହ୍ରାସ କରିବା ଲାଗି ସେଠାରେ ଥିବା ନୀତିକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ମୁଜାହିଦ “ଇସଲାମକୁ ଧର୍ମାନ୍ତରଣ” ଏବଂ “ଭାରତରେ ବିରୋଧ ପାଇଁ ଅସ୍ପୃଶ୍ୟ କୈøଶଳ” ବିଷୟରେ ଦୁଇଟି ପୁସ୍ତକ ରଚନା କରିଛନ୍ତି । ଆମେରିକାରେ କାର୍ଯ୍ୟରତ ପାକ୍ ସମର୍ଥକ ଭାରତୀୟ ଦଲାଲଙ୍କ ମଧ୍ୟରେ ଶେଖ ଉବୈଦ ନାମକ ଜଣେ ହାଇଦ୍ରାବାଦୀ ଆମେରିକୀୟ ଡାକ୍ତର ସବୁଠୁ ଆଗରେ ରହିଛନ୍ତି । ୮୦ଦଶକରେ ଉବୈଦଙ୍କ ପରିବାର ଭାରତରୁ ଆମେରିକାକୁ ଚାଲିଯାଇଥିଲେ । ତାଙ୍କ ବକ୍ତବ୍ୟ ଅନୁଯାୟୀ ୧୯୪୭ ପରେ ଭାରତ ସରକାର ବଳ ପ୍ରୟୋଗ କରି ହାଇଦ୍ରାବାଦକୁ ଭାରତରେ ମିଶାଇଛନ୍ତି । ୨୯ ଏପ୍ରିଲ ୧୯୬୨ରେ ଜନ୍ମିତ ଶେଖ ମହମ୍ମଦ ଉବୈଦଙ୍କ ଡାକ୍ତରୀ ଶିକ୍ଷା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟରୁ ହୋଇଥିଲା । ଆମେରିକାକୁ ଯିବା ପରେ ସେଠାରେ ସେ ଇସଲାମିକ ସର୍କଲ ଅଫ ନର୍ଥ ଆମେରିକା ସହ ସାମିଲ ହୋଇ ସାଧାରଣ ସଂପାଦକ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଦି ମେସେଜ୍ ଇଣ୍ଟରନ୍ୟାସନାଲ୍ ପତ୍ରିକାର ସଂପାଦକ ହୋଇଥିଲେ । ପରେ ସେଠାରେ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ନାମରେ ନିଜର ଏକ ସଂଗଠନ ଗଢିଥିଲେ । ପରେ ଅଙ୍ଗନା ଚାଟାର୍ଜୀଙ୍କ ସହ ମିଶି ମିଳିତ ଭାବେ କୋଆଲିସନ ଏଗନେଷ୍ଟ ଜେନୋସାଇଡ୍ ନାମକ ସଂଗଠନ ୨୦୦୩ରେ ଆରମ୍ଭ କରିଥିଲେ, ତାହା ଆମେରିକା ଓ କାନାଡାରେ ଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନମାନଙ୍କ ଗୋଷ୍ଠୀ ରହିଥିଲା । ସେହିବର୍ଷ ଉବୈଦ ଓ ଇଣ୍ଡିଆନ ମୁସଲିମ ଆଲର୍ଟ ନେଟୱାର୍କ (ଇମାନନେଟ୍‌) ଆରମ୍ଭ କରିଥିଲେ । ଏହା ଇଣ୍ଡିଆନ ମୁସଲିମ କାଉନସିଲର ଏକ ଶାଖା ଭାବେ କାର୍ଯ୍ୟକଲା । ନିକଟରେ ସେ ୨୦୨୦ରେ ଆଲିଆନ୍ସ ଟୁ ସେଭ ଏଣ୍ଡ୍ ପ୍ରୋଟେକ୍ଟ ଆମେରିକା ଫ୍ରମ୍ ଇନ୍‌ଫିଲଟ୍ରେସନ ବାୟ ରିଲିଜିଅସ୍ ଏକ୍ସଟ୍ରିମିଷ୍ଟ (ଆସ୍ପାୟାର) ଗଠନ କରିଥିଲେ । ଆମେରିକାରେ ଭାରତ ବିରୋଧୀ ପ୍ରଚାରରେ ସାମିଲ ଥିବା ଅନେକଗୁଡିଏ ସଂଗଠନ ପଛରେ ସେ ହିଁ ରହିଆସିଛନ୍ତି । ଆଇସିଏନ୍‌ଏର କାର୍ଯ୍ୟକ୍ରମରେ ଉବୈଦ ଉପସ୍ଥିତ ରହିଥାନ୍ତି । ଆଇସିଏନ୍‌ଏର ଛତାତଳେ ସାଉଣ୍ଡ ଭିଜନ୍‌, ଜଷ୍ଟିସ ଫର୍ ଅଲ୍ ସେଭ୍ ଇଣ୍ଡିଆ (ଇମାନ-ନେଟ୍‌), ବର୍ମା ଟାସ୍କ ଫୋର୍ସ ଆଦି କାର୍ଯ୍ୟ କରୁଛ୍‌ନ୍ତି । ବର୍ମା ଟାସ୍କ ଫୋର୍ସ ଦ୍ୱାରା ନିଯୁକ୍ତ ଲବିଂ ସଂସ୍ଥା ଟେରୀ ଆଲେନ୍ -ଏଫ୍‌ଜିଆର୍ ଆଇସିଏନ୍‌ଏ ପାଇଁ ମଧ୍ୟ କାର୍ଯ୍ୟ କରୁଛି । ଆମେରିକାରେ ପାକ୍‌ର ମୁଜାହିଦ୍ ଏବଂ ହାଇଦ୍ରାବାଦର ଉବୈଦ ଯୋଡି ମିଳିତ ଭାବେ ଅନେକଗୁଡିଏ ଭାରତ ବିରୋଧୀ ସଂଗଠନ ଗଢିବା ସହ କାର୍ଯ୍ୟ ଜାରି ରଖିଛନ୍ତି । ଆମେରିକାର ୧୫ଟି ରାଜ୍ୟର ମୁସଲମାନଙ୍କୁ ନେଇ ଉବୈଦ ମୁସଲିମ ପିସ୍ କୋଆଲିସନ୍ ନାମକ ଏକ ସଂଗଠନ ଆରମ୍ଭ କରି ନିଉୟର୍କ ଶାଖାର ଯୁଗ୍ମ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସଂଗଠନ ଗଠନ ପଛରେ ଅବଦୁଲ ମାଲିକ ମୁଜାହିଦଙ୍କ ହାତ ରହିଛି ।

ଆମେରିକାରେ ଉପରୋକ୍ତ ଏହି ଦୁଇବ୍ୟକ୍ତିଙ୍କ ବାଦ ଭାରତ ବିରୋଧୀ ପ୍ରଚାରରେ ଲାଗିଥିବା ତୃତୀୟ ବ୍ୟକ୍ତି ହେଲେ ଅହମଦୁଲ୍ଲା ସିଦ୍ଦିକୀ । ସେ ଭାରତରେ ବେଆଇନ୍ ଘୋଷିତ (୨୦୦୧) ଜମାତେ ଇସଲାମୀ ହିନ୍ଦ୍‌ର ଛାତ୍ରଶାଖା ସିମି (ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ୍ ଇଣ୍ଡିଆ)ର ପ୍ରତିଷ୍ଠାତା । ମୁଜାହିଦଙ୍କ ସଂଗଠନ ସାଉଣ୍ଡ ଭିଜନରେ ୨୦୧୫ରୁ ସିଦ୍ଦିକୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଘୁଲାମ ନବୀ ଫାଇଙ୍କର ସେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଏବଂ ଫିଲାଡେଲଫିଆର ଟେମ୍ପଲ ବିଶ୍ୱବିଦ୍ୟାଳୟରେ ସହପାଠୀ ଥିଲେ । ୯୦ଦଶକରେ ମୁଜାହିଦ ଏଂବ ସିଦ୍ଦିକୀ ଆମେରିକାର କେନ୍ଦ୍ର ଉତ୍ତର ଅଞ୍ଚଳରେ ଆଇସିଏନ୍‌ଏ କାର୍ଯ୍ୟ ଦେଖୁଥିଲେ । ୨୦୧୫ରେ ପାକିସ୍ଥାନର ଲାହୋରସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ କମ୍ୟୁନିକେସନ ଷ୍ଟଡିଜ୍‌ରେ ସେ ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତା ଭାବେ ଯୋଗ ଦେଇଥିଲେ । ୨୦୧୫ରୁ କାଉନସିଲ୍ ଫର୍ ଏ ପାର୍ଲିଆମେଣ୍ଟ ଅଫ୍ ଦି ୱାର୍ଲଡସ ରିଲିଜିଅନ୍ସର ବୋର୍ଡର୍ ଅଫ୍ ଟ୍ରଷ୍ଟି ଭାବେ ସିଦ୍ଦିକୀ କାର୍ଯ୍ୟ କରୁଛନ୍ତି । ତାଙ୍କ ପୂର୍ବରୁ ଏହି ସଂଗଠନର ଅଧ୍ୟକ୍ଷ ଦାୟିତ୍ୱରେ ୧୫ ନଭେମ୍ବର ୨୦୦୯ରୁ ମୁଜାହିଦ ରହି ଆସିଥିଲେ ।

ମୁଜାହିଦ୍ -ଉବୈଦ-ସିଦ୍ଧିକୀ ତ୍ରିମୂର୍ତ୍ତି ଗୋଷ୍ଠୀ ଆଜି ଆମେରିକାରେ ଭାରତ ବିରୋଧୀ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ଗୋଷ୍ଠୀ ସହ ଅନେକଗୁଡିଏ ସ୍ୱେଚ୍ଛାସେବୀ ସଂଗଠନ ଉଭୟ ଭାରତ ଓ ଆମେରିକାରେ କାର୍ଯ୍ୟ କରୁଛନ୍ତି, ଯେଉଁମାନଙ୍କ ପ୍ରତି ସରକାର ଏବଂ ଜନସାଧାରଣ ସତର୍କ ରହିବା ସହ ସେମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ଆବଶ୍ୟକ । ଅଭିବ୍ୟକ୍ତିର ସ୍ୱାଧୀନତା, ଗଣତାନ୍ତ୍ରିକ ଅଧିକାର ନାମରେ ଏମାନେ ଘୂଣଖିଆ ପୋକପରି ଦେଶ ଓ ସମାଜକୁ ନଷ୍ଟ କରିବା ଦିଗରେ ଆଗେଇଛନ୍ତି ।

LEAVE A REPLY