ଭାରତର ପ୍ରତିରକ୍ଷାରେ ଆଧୁନିକୀକରଣ

0
34

ଅପରେସନ ସିନ୍ଦୂର ପରବର୍ତ୍ତୀ ସମୟରେ ଭାରତର ପ୍ରତିରକ୍ଷା ବିଭାଗର ଆଧୁନିକୀକରଣ, ଅସ୍ତ୍ରଯୋଗାଣ, ଗୁଳିଗୋଳା ଉତ୍ପାଦନ, ନୂତନ ପ୍ରତିରକ୍ଷାକ୍ରୟ ଜାରିରହିଛି । ଭାରତର ତିନି ସେନା ବାହିନୀର ଦକ୍ଷତାକୁ ବୃଦ୍ଧି କରିବା ପାଇଁ ସରକାର ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ ୨୦୨୫ ଆର୍ଥôକ ବର୍ଷଟି ଭାରତର ତିନିବାହିନୀ ପାଇଁ ଅନେକ ସୁଖଦ ଖବର ନେଇ ଆସିଛି । ପ୍ରତିରକ୍ଷା କ୍ଷେତ୍ରରେ ଚଳିତବର୍ଷ ଅନେକ ପ୍ରକାର ସଂସ୍କାରକୁ ଜୋର ଦିଆଯାଇଛି । ପାକ୍ ସହ ତୁର୍କୀ, ଆଜରବୈଜାନ, ଆମେରିକା, ଚୀନ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଭାରତକୁ ବିରୋଧ କରିବା ଯୋଗୁ ଅପରେସନ ସିନ୍ଦୂର ପରବର୍ତ୍ତୀ ଭାରତର ବିଦେଶନୀତିରେ ଢେର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆମେରିକା ସହ ସଂପର୍କକୁ ସୁଦୃଢ କରିବାକୁ ·ହୁଁଥିବା ଭାରତ ଏକପ୍ରକାର ଆମେରିକାକୁ ଆଦୋବିଶ୍ୱାସ ନକରିବାକୁ ମନେମନେ ସ୍ଥିର କରି ରୁଷିଆ ସହ ସଂପର୍କକୁ ମଜଭୁତ କରିବା ପାଇଁ ଅଧିକ ଦୁଇପାହୁଣ୍ଡ ଆଗେଇଯାଇ ଅନେକଗୁଡିଏ ପ୍ରତିରକ୍ଷା କ୍ଷେତ୍ରର ମିଳିତ ଉତ୍ପାଦନ ପାଇଁ ସମ୍ମତି ଜଣାଇଛି । ତେବେ ଭାରତକୈନ୍ଦ୍ରିକ, ନିର୍ମାଣ ଏବଂ ଉତ୍ପାଦନକୁ ଜୋରଦେଇ ଆତ୍ମନିର୍ଭର ଭାରତର ମାର୍ଗରେ ଯିବା ପାଇଁ ନିଷ୍ପତ୍ତି ନେଇଛି । ଚଳିତବର୍ଷ ଅନେକଗୁଡିଏ ପ୍ରତିରକ୍ଷା ଉପକରଣର କ୍ରୟାଦେଶ ଦେଇ ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣ କାର୍ଯ୍ୟକୁ ଦ୍ରୁତତର କରିବାକୁ ନିଷ୍ପତ୍ତି ନିଆଯାଇଛି । ସହଯୋଗୀ ରାଷ୍ଟ୍ର ରୁଷିଆ, ଇସ୍ରାଏଲ, ଫ୍ରାନ୍ସ, ଜର୍ମାନୀ, ଜାପାନ, ଦକ୍ଷିଣ କୋରିଆ ଆଦି ରାଷ୍ଟ୍ରସହ ପ୍ରତିରକ୍ଷା ଉତ୍ପାଦନ ଏବଂ ଆଧୁନିକୀକରଣ ପାଇଁ ବୁଝାମଣା କରିଛି । ବିଶ୍ୱର ରାଜନୈତିକ ପାଣିପାଗ ଖୁବଶିଘ୍ର ବଦଳୁଥିବା ହେତୁ ଭାରତର ସ୍ଥଳସେନା, ବାୟୁସେନା ଓ ନୋସେନାପାଇଁ ଆକ୍ରମଣ କ୍ଷମତାର ବୃଦ୍ଧି,ସତର୍କ ଦୃଷ୍ଟି ରଖିବା, ବାୟୁସେନା ସୁରକ୍ଷା ଆଦିର ବୃଦ୍ଧି ପାଇଁ ଚିନ୍ତା କରିବାକୁ ହୋଇଛି । ତେଣୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ହାଲ) ଭାରତ ଡୟନାମିକ୍ସ, ବେସରକାରୀ ପ୍ରତିରକ୍ଷା ଶିଳ୍ପ, ବିଦେଶୀ ସହଯୋଗ ଉପରେ ଗୁରୁତ୍ୱ ଦେବାକୁ ହୋଇଛି । ତେବେ ୨୦୨୫ରେ ପ୍ରଚଣ୍ଡ ଶ୍ରେଣୀର ୧୫୬ଟି ହାଲୁକା ଆକ୍ରମଣକାରୀ ହେଲିକପ୍ଟର ପ୍ରଚଣ୍ଡର କ୍ରୟ ନିଷ୍ପତ୍ତି ଆଗରେ ରହିଥିଲା । ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର ପାଇଁ ୬୨୭୦୦ କୋଟି ଟଙ୍କା ସରକାର ମାର୍ଚ୍ଚ ୨୦୨୫ରେ ଦେଇସାରିଛନ୍ତି । ସେଥିରୁ ବାୟୁସେନାକୁ ୬୬ଟି ଏବଂ ସ୍ଥଳସେନାକୁ ୯୦ଟି ମିଳିବ । ଏହି ହେଲିକପ୍ଟର ପାହାଡିଆ ଅଞ୍ଚଳରେ ଅପରେସନ କରିବାକୁ ସକ୍ଷମ ରହିଛି,ଏଥିରେ ପାହାଡିଆ ଅଞ୍ଚଳରେ ଯୁଦ୍ଧ ପାଇଁ ବ୍ୟବସ୍ଥା ରହିଛି, ଯାହାକି ଭାରତର ଉତ୍ତର ଭାଗରେ ହିମାଳୟର କ୍ଷେତ୍ରରେ ଯୁଦ୍ଧ ·ଲୁ ରଖିବାକୁ ସକ୍ଷମ ।
ପାହାଡିଆ ଅଞ୍ଚଳରେ କାର୍ଯ୍ୟକରିବା ଲାଗି ୩୧ଟି ଏମ୍କୁ୍ୟ -୯ବି ପ୍ରିଡାଟୋର ଡ୍ରୋନ କିଣିବାକୁ ଆମେରିକା ସହ ବୁଝାମଣା ହୋଇଛି । ଏଥିପାଇଁ ୩୦ହଜାର କୋଟି ଟଙ୍କା ସରକାର ୨୦୨୫ରେ ପ୍ରଦାନ କରିଛନ୍ତି । ଏହି ଡ୍ରୋନଗୁଡିକ ତିନି ସେନାକୁ ପ୍ରଦାନ କରାଯିବ । ଡ୍ରୋନଗୁଡିକର ନିରୀକ୍ଷଣ କ୍ଷମତା, ଯୁଦ୍ଧକ୍ଷମତା, ସାମୁଦ୍ରିକ ଅଞ୍ଚଳରେ ନଜିର ରଖିବାର ଦକ୍ଷତା ରହିଛି । ଏହି ଡ୍ରୋନଗୁଡିକ ମିଳିବାପରେ ପ୍ରତିରକ୍ଷା ବାହିନୀର ତିନିସେନାର ନିରୀକ୍ଷଣ କ୍ଷମତାରେ ବିକାଶ ପରିଲକ୍ଷିତ ହେବ ।
ଯୁଦ୍ଧ କ୍ଷେତ୍ରରେ ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ୨୦ ମାର୍ଚ୍ଚ ୨୦୨୫ରେ ସଶସ୍ତ୍ର ବାହନ ନାଗ କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିର୍ମାଣ ପାଇଁ ଠିକା ପ୍ରଦାନ କରାଯାଇଥିଲା । ଏଥିରେ ୧୩ଟି ଅସ୍ତ୍ର ବହନକାରୀଯାନ ଏବଂ ୨୯୩ଟି କ୍ଷେପଣାସ୍ତ୍ର ରହିଛି । ସଂପୂର୍ଣ୍ଣ ସ୍ୱଦେଶୀ ଯୁଦ୍ଧ କୋଶଳରେ ନିର୍ମିତ ଏହି ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର, ତୃତୀୟ ପିଢିର କ୍ଷେପଣାସ୍ତ୍ର ଯାହାକୁ ଥରେ ଛାଡିଦେଲେ ଅନ୍ୟକଥା ଭୁଲିଯିବାକୁ କୁହାଯାଇଥାଏ, ଅର୍ଥାତ୍ ଏହାର ଲକ୍ଷ୍ୟଭେଦ କ୍ଷମତା ବେଶ ସୁଦୃଢ ।
ଏହାଛଡା ସ୍ଥଳସେନାର ଆକ୍ରମଣ କ୍ଷମତା ବୃଦ୍ଧିଲାଗି ୨୦୨୫ରେ ସରକାର ୭୦୦୦କୋଟି ଟଙ୍କା ବରାଦ କରିଛନ୍ତି । ଯେଉଁ ଅର୍ଥରେ ୩୦୭ଟି ସ୍ୱଦେଶୀ ନିର୍ମିତ ୧୫୫ମିମି /୫୨ କ୍ୟାଲିବର ତୋପ କିଣାଯିବ । ଡିଆରଡିଓର ଟେକ୍ନୋଲୋଜୀରେ ଟାଟା ଏବଂ ଭାରତ ଫୋର୍ଜ କମ୍ପାନୀ ମିଳିତ ଭାବେ ଏହି ତୋପର ନିର୍ମାଣ କରିବେ । ଏହି ତୋପ ପୃଥିବୀରେ ମିଳୁଥିବା ତୋପ ବ୍ୟବସ୍ଥାଗୁଡିକ ମଧ୍ୟରେ ବେଶ୍ ଆଧୁନିକ, ଯାହାକି ଆଗାମୀ ଦିନରେ ସେନାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କରିବା ସହ ଦୂରଗାମୀ ଆକ୍ରମଣ ପାଇଁ ଦକ୍ଷତା ବୃଦ୍ଧି କରିବ ।
ଭାରତୀୟ ସ୍ଥଳସେନାର ଭୂମିରୁ ଆକାଶକୁ ଆକ୍ରମଣ କରିବାର ଦକ୍ଷତା ବୃଦ୍ଧି କରିବାକୁ ସରକାର ଜୁଲାଇ ୨୦୨୫ରେ ପ୍ରାୟ ୩୦ହଜାର କୋଟି ବ୍ୟୟ ବରାଦକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅର୍ଥରେ ତ୍ୱରିତ ପ୍ରତିକ୍ରିୟାଶୀଳ ଭୂମିରୁ ଆକାଶକୁ ପ୍ରକ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର (କୁ୍ୟଆରସାମ୍) କିଣାଯିବ । ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ସୃଷ୍ଟି ହେଉଥିବା ଆଶଙ୍କା ଯଥା ଡ୍ରୋନ, ଯୁଦ୍ଧବିମାନର ଆକ୍ରମଣକୁ ତୁରନ୍ତ ପ୍ରତିହତ କରିପାରିବ । ଏହି ବ୍ୟବସ୍ଥା ପାକ୍ ଏବଂ ଚୀନର ସୀମାନ୍ତରେ ଅଧିକ ଉପଯୋଗୀ ହେବ ବୋଲି କୁହାଯାଉଛି । ଭାରତର ନୈସେନା ପାଇଁ ସାମୁଦ୍ରିକ କ୍ଷେତ୍ରରେ ମାରକ କ୍ଷମତାର ବୃଦ୍ଧିପାଇଁ ୨୦୨୫ରେ ସରକାର ୨୦ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ଅର୍ଥରେ ନୈସେନା ପାଇଁ ସ୍ୱତନ୍ତ୍ର ବ୍ରହ୍ମୋସ୍ତ୍ର କ୍ଷେପଣାସ୍ତ୍ର ନିର୍ମିତ ହେବ । ଅଧିକ ଦୂର ଆକ୍ରମଣ କରିପାରୁଥିବା ଏହି କ୍ଷେପଣାସ୍ତ୍ର ଏବେ ବିକଶିତ ହୋଇଛି, ଯାହାକି ନୋସେନା ପାଇଁ ଅଧିକ ଉପଯୋଗୀ ହେବ । ଏହି ଶ୍ରେଣୀର ବ୍ରହ୍ମୋସ କିଣିବାକୁ ଇଣ୍ଡୋନେସିଆ ଆଗ୍ରହ ପ୍ରକାଶ କରିଥିବା ହେତୁ କ୍ଷେପଣାସ୍ତ୍ର ରପ୍ତାନୀ ମଧ୍ୟ ବୃଦ୍ଧିପାଇବ ।
ନୋ÷÷ସେନାର ଆକ୍ରମଣ କ୍ଷମତା ବୃଦ୍ଧି କରିବାକୁ ଓଜନଦାର ଟର୍ପେଡୋ ବରୁଣାସ୍ତ୍ରର ନିର୍ମାଣ ପାଇଁ ସରକାର ନିକଟରେ ସ୍ୱୀକୃତି ପ୍ରଦାନ କରିଛନ୍ତି । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୋଶଳରେ ନିର୍ମିତ ଏହି ଇଲେକ୍ଟ୍ରିକ ଟର୍ପେଡୋକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି । ଭାରତର ସାମୁଦ୍ରିକ କ୍ଷେତ୍ରରେ ଏହାକୁ ଯୁଦ୍ଧପୋତ ଏବଂ ସବ୍ମେରିନ (ବୁଡାଜାହାଜ)ରେ ମୁତୟନ କରାଯାଇପାରିବ । ଏହି ଟର୍ପେଡୋ ଭାରତୀୟ ନୋସେନାର ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବା ସହ ଲକ୍ଷ୍ୟଭେଦ ପାଇଁ ସକ୍ଷମ ହେବ ।
ଅଗଷ୍ଟ ୨୦୨୫ରେ ସରକାର ସୀମାନ୍ତରେ ନିରୀକ୍ଷଣ ପାଇଁ ମଧ୍ୟମ ଦୂରଗାମୀ ଉଚ୍ଚାକାଶରେ ଉଡିପାରୁଥିବା ଡ୍ରୋନ ନିର୍ମାଣକୁ ସ୍ୱୀକୃତି ଦେଇଛନ୍ତି । ସ୍ୱଦେଶୀ ଜ୍ଞାନକୋଶଳରେ ଏହି ମେଲଡ୍ରୋନ ନିର୍ମାଣ କରାଯିବ । ଏହା ନଜର ରଖିବା ସହ ଆକାଶରୁ ସ୍ଥଳପଥକୁ ଆକ୍ରମଣ କରିପାରିବ । ଏହି ଡ୍ରୋନ ନିର୍ମାଣ ହେଲେ ବିଦେଶୀ ଡ୍ରୋନ ଉପରୁ ନିର୍ଭରଶୀଳତା ହ୍ରାସ ପାଇବ । ଏହି ଡ୍ରୋନ ବହୁମୁଖୀ ଅପରେସନରେ ସହାୟକ ହେବ ବୋଲି କୁହାଯାଉଛି । ସ୍ଥଳସେନା ସହ ବ୍ୟବହୃତ ଟି୯୦ ଟ୍ୟାଙ୍କ ପାଇଁ ନୂତନ ଅଧିକ କ୍ଷମତା ସଂପନ୍ନ ଇଞ୍ଜିନ କିଣିବାକୁ ସରକାର ସ୍ୱୀକୃତି ଦେଇଛନ୍ତି, ଯାହାକି ଆଗାମୀ ଦିନରେ ସ୍ଥଳସେନାର ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବ । ସୀମାନ୍ତରେ ଆଧୁନିକୀକରଣ ପାଇଁ ଏହା ଏକ ଭଲ ପଦକ୍ଷେପ, ଯାହାକି ଆକ୍ରମଣ ଆଶଙ୍କା ପ୍ରତିହତ କରିପାରିବ । ସର୍ବଦା ଆକ୍ରମଣକୁ ସାମ୍ନା କରିବା ପାଇଁ ସ୍ଥଳସେନାକୁ ପ୍ରସ୍ତୁତ କରି ରଖିବାରେ ଏହି ଟ୍ୟାଙ୍କ ଉପଯୋଗୀ ହେବ ।
ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ଯୁଦ୍ଧବିମାନ, ଯୁଦ୍ଧପୋତ, ପରମାଣୁ ଶକ୍ତିସଂପନ୍ନ ବାଲିଷ୍ଟିକ କ୍ଷେପଣାସ୍ତ୍ରବାହୀ ସବ୍ମେରିନ୍, ପରିବହନକାରୀ ବିମାନ, ପ୍ରଶିକ୍ଷଣ ପାଇଁ ଯୁଦ୍ଧବିମାନ, କ୍ଷେପଣାସ୍ତ୍ର, ଦୂରଗାମୀ କ୍ଷେପଣାସ୍ତ୍ରଗୁଡିକ ଆଗାମୀ ଦିନରେ ସାମିଲ କରାଯିବାକୁ ପ୍ରୟାସ ଜାରିରହିଛି । ତନ୍ମଧ୍ୟରେ ହାଲୁକା ଯୁଦ୍ଧ ବିମାନ ଏଲ୍ସିଏ ଏମ୍କେ-୧ଏ, ଆଣବିକ କ୍ଷମତାସଂପନ୍ନ ବାଲିଷ୍ଟିକ କ୍ଷେପଣାସ୍ତ୍ର ଥିବା ସବମେରିନ୍ ଅରିଦମନ, ପ୍ରକଳ୍ପ ୧୭ଏ ଅନ୍ତର୍ଗତ ନୋସେନା ଫ୍ରିଗେଟ, ପରିବହନ ପାଇଁ ସି-୨୯୫ ବିମାନ,ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା, ନିରୀକ୍ଷଣକାରୀ ଗୁଇନ୍ଦା ଡ୍ରୋନ ଆଦି ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ ପକ୍ଷରୁ ୫ଟି ଏମ୍କେ-୧ଏ ବିମାନ ୨୦୨୫-୨୬ ଆର୍ଥôକ ବର୍ଷର ଶେଷ ବେଳକୁ ଅର୍ଥାତ୍ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ମିଳିବ ବୋଲି ଜଣାପଡିଛି । ଏହି ସମୟ ଭିତରେ ୧୦ଟି ଯୁଦ୍ଧବିମାନ ଦେବାକୁ ହାଲ ପକ୍ଷରୁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ବିଦେଶୀ ଇଞ୍ଜିନ ଯୋଗାଣରେ ବିଳମ୍ବ ହେତୁ ଯୋଗାଣ ବିଳମ୍ବିତ ହୋଇଛି ବୋଲି କୁହାଯାଇଛି । ଭାରତୀୟ ବାୟୁସେନାର ଆଧୁନିକୀକରଣ ପାଇଁ ଦୁଇଟି ପ୍ରକ୍ରିୟାରେ ୧.୧ଲକ୍ଷ କୋଟି ଟଙ୍କା ୧୮୦ଟି ଏଲ୍ସିଏଏମ୍କେ-୧ଏ କିଣାଯିବା ପାଇଁ କ୍ରିୟାଦେଶ ପୂର୍ବରୁ ପ୍ରଦାନ କରାଯାଇସାରିଛି । ଫେବୃଆରୀ ୨୦୨୧ରେ ୮୩ଟି ଯୁଦ୍ଧବିମାନର ଅର୍ଡର ଦିଆଯାଇଥିଲା । ପରେ ସେପ୍ଟେମ୍ବର ୨୦୨୫ରେ ଅଧିକ ୯୭ଟି ଯୁଦ୍ଧବିମାନ କ୍ରୟ ପାଇଁ ଆଦେଶ ପ୍ରଦାନ କରାଯାଇଥିଲା । ପ୍ରଥମ କ୍ରୟାଦେଶରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଯୁଦ୍ଧବିମାନ ଯୋଗାଣର ଲକ୍ଷ୍ୟ ରଖାଯାଇଥିଲେ ହେଁ ତାହା ଦୁଇବର୍ଷ ବିଳମ୍ବରେ ମିଳିବାକୁ ଯାଉଛି ।
୨୦୨୬ରେ ନୋସେନାର ସବ୍ମେରିକ ଅରିହନ୍ତ କାର୍ଯ୍ୟରେ ସାମିଲ ହେବାକୁ ଯାଉଛି, ଯାହାକି ଅରିହନ୍ତ ଶ୍ରେଣୀର ତୃତୀୟ ବୁଡାଜାହାଜ ହେବ । ଯେଉଁଥିରେ ଆଣବିକ କ୍ଷମତାସଂପନ୍ନ ବାଲିଷ୍ଟିକ କ୍ଷେପଣାସ୍ତ୍ର ଲାଗିଛି । ଏହାପରେ ୨୦୨୭ରେ ଏହି ଶ୍ରେଣୀର ୪ର୍ଥ ସବମେରିନ୍ ନୋସେନାରେ ସାମିଲ ହେବାର ଯୋଜନା ରହିଛି । ଅଗଷ୍ଟ ୨୦୨୪ରେ ସ୍ୱଦେଶୀ ଜ୍ଞାନକୋଶଳରେ ନିର୍ମିତ ଦ୍ୱିତୀୟ ଆଣବିକ ସବମେରିନ ଆଇଏନ୍ଏସ ଅରିଘାତ ବିଶାଖାପାଟଣାରେ ସମୁଦ୍ରକୁ ଓହ୍ଲାଇଥିଲା । ସବ୍ମେରିନ୍ରୁ ଆଣବିକ କ୍ଷେପଣାସ୍ତ୍ର ମାଡ କରିବାକୁ ସକ୍ଷମ ଥିବା ରାଷ୍ଟ୍ର ଆମେରିକା, ରୁଷିଆ, ଚୀନ , ଫ୍ରାନ୍ସ ଏବଂ ବ୍ରିଟେନ ପରେ ଏବେ ଭାରତ ରହିଛି । ଏହି ଶ୍ରେଣୀର ପ୍ରଥମ ସବ୍ମେରିନ ଭାରତ ପକ୍ଷରୁ ୨୦୧୮ରେ ୬୦୦୦ ଟନ୍ ଓଜନର ଆଇଏନ୍ଏସ୍ ଅରିହନ୍ତ ନୋସେନାରେ ସାମିଲ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନୋସେନାର ଦକ୍ଷତା ବୃଦ୍ଧିର ପ୍ରଶଂସା କରିଥିଲେ । ୨୦୨୬ରେ ୨୧୯୩୫କୋଟି ବ୍ୟୟବରାଦରେ ସି-୨୯୫ ପରିବହନ ବିମାନ ଭାରତରେ ନିର୍ମିତ ହୋଇ ବାୟୁସେନାରେ ସାମିଲ ହେବାକୁ ଯାଉଛି,ଏୟାରବସ୍ ଏବଂ ଟାଟା ଆଡଭାନ୍ସ ସିଷ୍ଟମ୍ସ ଲିମିଟେଡର ମିଳିତ ପ୍ରୟାସରେ ଏହାର ନିର୍ମାଣ ହେଉଛି । ସେପ୍ଟେମ୍ବର ୨୦୨୧ରେ ପ୍ରତିରକ୍ଷା ବିଭାଗ ୫୬ଟି ଏହି ଶ୍ରେଣୀର ବିମାନ ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିଲା । ପୂର୍ବରୁ ୧୬ଟି ବିମାନକୁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇ ଯୋଗାଇ ଦିଆଯାଇଛି । ଏବେ ଅବଶିଷ୍ଟ ବିମାନକୁ ଗୁଜୁରାଟର ବଡୋଦରା ସ୍ଥିତ କମ୍ପାନୀରେ ନିର୍ମାଣ ପାଇଁ ଟାଟା ପକ୍ଷରୁ ପ୍ରୟାସ ଜାରିରହିଛି । ଅଗଷ୍ଟ ୨୦୩୧ସୁଦ୍ଧା ଅବଶିଷ୍ଟ ୩୯ଟି ବିମାନ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ରହିଛି ।
ସେହିପରି ନୋସେନାର ଆଧୁନିକୀକରଣ ପାଇଁ ପ୍ରୋଜେକ୍ଟ ୧୭ଏ ଅଧିନରେ ଫ୍ରିଗେଟ ତାରାଗିରି, ମହେନ୍ଦ୍ରଗିରି, ଦୁଣାଗିରି, ବିନ୍ଧ୍ୟଗିରିକୁ ଅଗଷ୍ଟ-ସେପ୍ଟେମ୍ବର ୨୦୨୬ ସୁଦ୍ଧା କାର୍ଯ୍ୟରେ ସାମିଲ କରାଯିବ । ସରକାର ୪୫ହଜାର କୋଟି ଟଙ୍କା ବ୍ୟୟରେ ପ୍ରୋଜେକ୍ଟ-୧୭ଏ (ନୀଳଗିରି ଶ୍ରେଣୀ)କୁ ·ଲୁ ରଖିଛନ୍ତି, ଯାହା ପୂର୍ବର ପ୍ରୋଜେକ୍ଟ -୧୭ (ଶିବାଲିକ ଶ୍ରେଣୀ) ଅନ୍ତର୍ଗତ ଫ୍ରିଗେଡ ତୁଳନାରେ ଅଧିକ ଉନ୍ନତ । ପୂର୍ବରୁ ଏହି ୧୭ଏ ଶ୍ରେଣୀର ତିନୋଟି ଫ୍ରିଗେଟ ନୋସେନାରେ ନିୟୋଜିତ ହୋଇସାରିଛି । ୨୦୪୭ ସୁଦ୍ଧା ନୋସେନା ସଂପୂର୍ଣ୍ଣ ଆତ୍ମନିର୍ଭର ହେବାଲାଗି ଲକ୍ଷ୍ୟ ରଖିଛି । ସେହି ଲକ୍ଷ୍ୟରେ ନୋସେନା ପାଇଁ ଭିନ୍ନ ଭିନ୍ନ ସିପ୍ୟାର୍ଡରେ ଏବେ ପ୍ରାୟ ୬୦ଗୋଟି ଯୁଦ୍ଧପୋତର ନିର୍ମାଣ ଜାରିରହିଛି । ଏଗୁଡିକ ୨୦୩୫ସୁଦ୍ଧା ସମୁଦ୍ରକୁ କାର୍ଯ୍ୟପାଇଁ ଓହ୍ଲାଇବେ ବୋଲି ଲକ୍ଷ୍ୟ ରଖାଯାଇଛି ।
ଅପରେସନ ସିନ୍ଦୂର ପରବର୍ତ୍ତୀ ସମୟରେ ପ୍ରତିରକ୍ଷାକୁ ସୁଦୃଢ କରିବାକୁ ତିନିସେନାକୁ ସଶକ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟ ଜାରିରହିଛି । ୨୦୨୬ର ବଜେଟରେ ଏଥିପାଇଁ ପ୍ରତିରକ୍ଷା ବ୍ୟୟବରାଦ ସରକାର ବୃଦ୍ଧି କରିବେ ବୋଲି ଜଣାଗଲାଣି ।