ଜାମାଇକାରେ ରାଷ୍ଟ୍ରପତି

କୌଣସି ଦେଶ ଛୋଟ କିମ୍ବା ବଡ ହୋଇପାରେ, ଜନସଂଖ୍ୟା ଅଳ୍ପ-ବେଶି ହୋଇପାରନ୍ତି, କିନ୍ତୁ ଜାତିସଂଘ ଦୃଷ୍ଟିରୁ ପ୍ରତ୍ୟେକ ଦେଶପାଇଁ ଗୋଟିଏ ଭୋଟ ଥିବା ହେତୁ କେହି ଗୌଣ ନୁହନ୍ତି । ସେହିପରି ଏକ ଛୋଟ ଦ୍ୱୀପରାଷ୍ଟ୍ର ହେଉଛି ଜାମାଇକା । ଉତ୍ତର-ଦକ୍ଷିଣ ଆମେରିକାର ନିକଟରେ ଥିବା ଏହି ଦ୍ୱୀପରାଷ୍ଟ୍ରଟି ଯେମିତି ଗଣତାନ୍ତ୍ରିକ ସେମିତି ଅନ୍ୟମାନଙ୍କଠାରୁ ବଡ ଏବଂ ଆଗୁଆ ମଧ୍ୟ । କ୍ୟାରିବିଆନ ସାଗର ନିକଟସ୍ଥ ଏହି ଦ୍ୱୀପରାଷ୍ଟ୍ରକୁ ୧୫ରୁ ୧୮ ମଇ ୨୦୨୨ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗସ୍ତ କରିଥିଲେ । ରାଷ୍ଟ୍ରପତିଙ୍କ ସହ ପତ୍ନୀ ସବିତା କୋବିନ୍ଦ ଏବଂ ଝିଅ ସ୍ୱାତୀ ମଧ୍ୟ ସଙ୍ଗରେ ଥିଲେ । ଭାରତର ରାଷ୍ଟ୍ରପତି ଭାବେ ପ୍ରଥମଥର ପାଇଁ କୋବିନ୍ଦ ଜାମାଇକା ଗସ୍ତ କରିଥିଲେ । ଏତେ ଦଶନ୍ଧି ହେଲା ଏହି ଦ୍ୱୀପରାଷ୍ଟ୍ରକୁ ଅବହେଳା କରି କୌଣସି ଭାରତୀୟ ରାଷ୍ଟ୍ରପତି ଗସ୍ତ ନକରିବା ଦୁର୍ବଳ ବିଦେଶ ନୀତିର ପରି·ୟକ ବୋଲି କହିବାକୁ ହେବ ।

ଦୁଇଦେଶ ଭାରତ ଓ ଜାମାଇକା ମଧ୍ୟରେ ସଂପର୍କ ସ୍ଥାପନାର ୬୦ତମ ବାର୍ଷିକୀ ଜାରି ରହିଛି । ସେମିତି ଯଦି ଦେଖାଯାଏ ଭାରତର ଲୋକେ ଏହି ଦ୍ୱୀପରେ ପହଞ୍ଚିବାର ୧୭୬ବର୍ଷ ଚାଲିଛି । ବିହାର ଓ ପୂର୍ବ ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ବ୍ରିଟିଶ ସରକାର ୧୮୪୫ରୁ ୧୯୧୭ମଧ୍ୟରେ ଚାଷକାର୍ଯ୍ୟ ପାଇଁ ଜାମାଇକାକୁ ନେଇଥିଲେ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ପେଶାଦାର ଲୋକେ ମଧ୍ୟ ଭାରତରୁ ଜାମାଇକା ଯାଇଥିଲେ । ଦୁଇଦେଶ ଗୋଷ୍ଠୀ ନିରପେକ୍ଷ ଆନେ୍ଦାଳନରେ ସଦସ୍ୟ ରହିଆସିଛନ୍ତି । ରାଜ୍ୟ ଗୋଷ୍ଠୀ ମଧ୍ୟରେ ଦୁଇଦେଶ ରହିଛନ୍ତି । ଜାମାଇକାର ମୋଟ ଜନସଂଖ୍ୟା ମଧ୍ୟରୁ ୩ ପ୍ରତିଶତ ହେଉଛନ୍ତି ଭାରତୀୟ ମୂଳର ଲୋକ । ଦୁଇଦେଶ କ୍ରିକେଟ ସହ ଯୋଡି ହୋଇଛନ୍ତି । ଆମେରିକାର ଏବେ ଉପରାଷ୍ଟ୍ରପତି ଥିବା କମଳା ହାରିସଙ୍କ ମାତା ଜଣେ ଭାରତୀୟ ଥିଲାବେଳେ ପିତା ଜାମାଇକାର ଲୋକ ଥିଲେ । ଦୁଇଦେଶ ମଧ୍ୟରେ ଶକ୍ତି ସୁରକ୍ଷା, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଆନ୍ତର୍ଜାତିକ ସନ୍ତ୍ରାସବାଦ, ଦକ୍ଷିଣ -ଦକ୍ଷିଣ ସହଯୋଗ ନେଇ ସହମତି ରହିଆସିଛି । ୧୯୭୫ରେ ଭାରତ ସରକାର ନିଜସ୍ୱ କାର୍ଯ୍ୟାଳୟ ରାଜଧାନୀ କିଙ୍ଗସଟନଠାରେ ଖୋଲିଥିଲେ । ଅତୀତରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ଅଟଳ ବିହାରୀ ବାଜପେୟୀ ପ୍ରମୁଖ ଜାମାଇକା ଗସ୍ତ କରିଥିଲେ । ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତିସଂଘର କାର୍ଯ୍ୟାଳୟଠାରେ ୨୫ ସେପ୍ଟେମ୍ବର ୨୦୧୯ରେ ଭାରତ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ସେଥିରେ ଜାମାଇକାର ପ୍ରଧାନମନ୍ତ୍ରୀ ହୋଲନେସ୍ ବକ୍ତାଭାବେ ଯୋଗଦେଇଥିଲେ । ସେହି ଅବସରରେ ଭାରତ- କ୍ୟାରିବିଆନ ରାଷ୍ଟ୍ରଗୁଡିକର ପ୍ରଥମ ମିଳିତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଗତବର୍ଷ ମାର୍ଚ୍ଚ ମାସରେ ଜାମାଇକାର ପ୍ରଥମ ଆବାସିକ ହାଇ କମିଶନରଙ୍କୁ ନୂଆଦିଲ୍ଲୀଠାରେ ନିଯୁକ୍ତି ମିଳିଥିଲା । ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୦୧୬-୧୭ରେ ୪୪.୧୮ ମିିଲିଅନ ଡଲାର,୨୦୧୭-୧୮ରେ ୫୬.୫୯ ମିଲିଅନ ଡଲାର, ୨୦୧୮-୧୯ରେ ୬୦.୪୩ ମିଲିଅନ ଡଲାର ରହିଥିଲା । ଗତବର୍ଷ ୮ ମାର୍ଚ୍ଚ ୨୦୨୧ରେ ଟିକା ମୈତ୍ରୀ କାର୍ଯ୍ୟକ୍ରମ ଅଧିନରେ ଭାରତ ୫୦,୦୦୦ ଟିକା ଉପହାର ସ୍ୱରୂପ କୋରୋନା ନିୟନ୍ତ୍ରଣ ପାଇଁ ଜାମାଇକା ସରକାରଙ୍କୁ ଦେଇଥିଲେ । ଏହାଛଡା ଫେବୃଆରୀ ୨୦୧୯ରେ କୋରୋନାର ଚିକିତ୍ସାପାଇଁ ଭାରତ ସରକାର ୧୫୦,୦୦୦ଡଲାର ମୂଲ୍ୟର ଔଷଧ ଉପହାର ରୂପେ ଜାମାଇକାକୁ ଦେଇଥିଲେ । ଆନ୍ତର୍ଜାତିକ ପ୍ରଶିକ୍ଷଣ ଏବଂ ଆର୍ଥôକ ସହଯୋଗ କାର୍ଯ୍ୟକ୍ରମ ଅଧିନରେ ୨୦୧୯-୨୦ ବର୍ଷରେ ଜାମାଇକା ପାଇଁ ୩୦ଟି ସ୍ଥାନ ରହିଥିଲା ବେଳେ ୨୯ଟି ପୂରଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ଯୋଜନାରେ ଜାମାଇକାର ପ୍ରାୟ ୩୪୦ ବ୍ୟକ୍ତିଙ୍କୁ ଭାରତର ଭିନ୍ନ ଭିନ୍ନ ସଂସ୍ଥାନରେ ପ୍ରଶିକ୍ଷଣ ମିଳିଛି । ଆନ୍ତର୍ଜାତିକ ସୌର ମେଣ୍ଟରେ ଜାମାଇକା ପୂ୍ର୍ଣ୍ଣ ସଦସ୍ୟ ରହିିଛି । ଡିସେମ୍ବର ୨୦୨୦ରେ ଅନୁ୍ଷ୍ଠିତ ପ୍ରଶିକ୍ଷଣରେ ପ୍ରାୟ ୪୦ଜଣ ଜାମାଇକା ଅଧିକାରୀ ଯୋଗଦାନ କରିଥିଲେ । ଜାତିସଂଘରେ ଭାରତର ପୂ୍ର୍ଣ୍ଣ ସଦସ୍ୟତାକୁ ଜାମାଇକା ସମର୍ଥନ କରିଆସୁଛି । ୨୦୨୧-୨୨ ପାଇଁ ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ବିଜୟୀ ହେବା ପଛରେ ଜାମାଇକାର ଦୃଢ ସମର୍ଥନ ରହିଥିଲା । ହିନ୍ଦୀ ଭାଷାର ପ୍ରସାର, ଯୋଗ ଶିକ୍ଷା କ୍ଷେତ୍ରରେ ଜାମାଇକା ସରକାରଙ୍କ ସହଯୋଗ ରହିଆସିଛି । ସମୟାନୁସାରେ ଭାରତର ସଂଗୀତ, ନୃତ୍ୟକଳା, ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମମାନ ଜାମାଇକାରେ ଆୟୋଜିତ ହୋଇଆସୁଛି । ଜାମାଇକା ଲୋକେ ଭାରତର ସିନେମା ଦେଖିବାକୁ ଭଲପାଇଥାନ୍ତି । ଜାମାଇକାର ଓକହୋରିଓସ୍ ସହରରେ ଭାରତୀୟ ସିନେମା ପ୍ରେକ୍ଷାଳୟଗୁଡିକରେ ଚାଲିଥାଏ । ଜାମାଇକାରେ ଏବେ ପ୍ରାୟ ୭୭୦୦ ଭାରତୀୟ ନାଗରିକ କାର୍ଯ୍ୟ କରୁଛନ୍ତି ।
ଚାରିଦିନିଆ ଜାମାଇକା ଗସ୍ତରେ ବାହାରି ରାଷ୍ଟ୍ରପତି କୋବିନ୍ଦ ଜାମାଇକାର ରାଜଧାନୀ କିଙ୍ଗସ୍ଟନରେ ଥିବା ନର୍ମାନ୍ ମାନ୍ଲେ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ରେଡକାର୍ପେଟରେ ସ୍ୱାଗତ କରାଯାଇଥିଲା । ଉଭୟ ଭାରତୀୟ ଏବଂ ଜାମାଇକାର ଲୋକେ କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କ ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଲୋକସଭା ସାଂସଦ ରମାଦେବୀ, ସତୀଶ କୁମାର ଗୌତମଙ୍କ ସମେତ ସଚିବସ୍ତରୀୟ ଅଧିକାରୀଗଣ ରହିଥିଲେ । ରାଷ୍ଟ୍ରପତିଙ୍କୁ ୨୧ତୋପ ସଲାମୀ ଦିଆଯାଇଥିଲା । ଜାମାଇକାର ମହିଳା ସେନାମୁଖ୍ୟ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଜାମାଇକା ପକ୍ଷରୁ ଗଭର୍ଣ୍ଣର ଜେନେରାଲ ପାଟ୍ରିକ ଆଲେନ, ପ୍ରଧାନମନ୍ତ୍ରୀ ଆଣ୍ଡୃ୍ୟ ହୋଲନେସ୍, କ୍ୟାବିନେଟର ମନ୍ତ୍ରୀଗଣ, ସେନାମୁଖ୍ୟ, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ । ସେମିତି ଜାମାଇକାରେ ଥିବା ଭାରତର ଉଚ୍ଚାୟୁକ୍ତ ମାସାକୁଇ ରୁଙ୍ଗସୁଙ୍ଗ୍ ଏବଂ ତାଙ୍କ ପତ୍ନୀ ଜିଙ୍ଗଚାରୱନ୍ ରୁଙ୍ଗସୁଙ୍ଗ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିଉ କିଙ୍ଗସଟନର ପେଗାସସ୍ ହୋଟେଲରେ ପହଞ୍ଚôବା ପରେ ସେଠାରେ ପ୍ରବାସୀ ଭାରତୀୟମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ଜାମାଇକା ପକ୍ଷରୁ ସଂସଦର ମିଳିତ ସଭା ବ୍ୟବସ୍ଥା ହୋଇଥିଲା । ରାଷ୍ଟ୍ରପତି ସେଠାରେ ତାଙ୍କ ବକ୍ତବ୍ୟ ପ୍ରଦାନ କରି ଭାରତ ଜ୍ଞାନର ଉପଯୋଗ କରି ବିକାଶ ଓ ସମୃଦ୍ଧିକୁ କିପରି ପ୍ରୋତ୍ସାହନ ଦେଉଛି ତାହା ବୁଝାଇ କହିଥିଲେ । ଆଇଆଇଟି ଏବଂ ଆଇଆଇଏମ୍ ପରି ଭାରତୀୟ ଶିକ୍ଷାନୁଷ୍ଠାନରୁ ବାହାରିଥିବା ବିଦ୍ୟାର୍ଥୀ କିପରି ପୃଥିବୀର ବଡବଡ କମ୍ପାନୀ ଏବଂ ବାଣିଜି୍ୟକ ଅନୁଷ୍ଠାନର ନେତୃତ୍ୱ ନେଉଛନ୍ତି ତାହା ପ୍ରକାଶ କରିଥିଲେ । ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଭାରତ ବିଦେଶରେ ଆଇଆଇଟି ଖୋଲିବାକୁ ଯୋଜନା ରଖିଥିଲା ବେଳେ ଜାମାଇକା ନିଜ ଦେଶରେ ଆଇଆଇଟି ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା କଥା ସେ କହିଥିଲେ । ଭାରତ ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ଶିକ୍ଷା ପ୍ରସାର କରୁଥିବା ବିଷୟ ସେ ପ୍ରକାଶ କରିଥିଲେ । ଜାମାଇକାର ଶିକ୍ଷା, ବାଣିଜ୍ୟ, ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତ ସହଯୋଗ କରିବ ବୋଲି ସେ କହିଥିଲେ । ୩୦ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ସୁଦ୍ଧା ଅଲିମ୍ପିକ୍ସ ବିଶ୍ୱ ଚମ୍ପିଅନସିପ୍ ସମେତ ଅନ୍ୟାନ୍ୟ କ୍ରୀଡା କ୍ଷେତ୍ରରେ ଜାମାଇକାର ସଫଳତା ବେଶ୍ ଉଲ୍ଲେଖନୀୟ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିଲେ । ଜାମାଇକାର ଭିଜନ -୨୦୩୦ ଦୃଷ୍ଟିକୋଣକୁ ସେ ପ୍ରଶଂସା କରିବା ସହ ଶିକ୍ଷା, ବାଣିଜ୍ୟ, ଟେକ୍ନୋଲୋଜି, ଜ୍ଞାନ ଆଦି କ୍ଷେତ୍ରରେ ଭାରତ ସହଯୋଗୀ ହେବାକୁ ଆଗ୍ରହ ରହିଥିବା ପ୍ରକାଶ କରିଥିଲେ ।
ଜାମାଇକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାକ୍ଷାତ ସେଠାକାର ଗଭର୍ଣ୍ଣର ଜେନେରାଲ ସାର ପ୍ୟାଟ୍ରିକ ଆଲେନ ଏବଂ ପ୍ରଧାନମନ୍ତ୍ରୀ ଆଣ୍ଡୃ୍ୟ ହୋଲନେସଙ୍କ ସହ ହୋଇଥିଲା । ଜାମାଇକା ରାଷ୍ଟ୍ରପତିଙ୍କ ପତ୍ନୀ ଭାରତୀୟ ବେଶଭୂଷାରେ କୋବିନ୍ଦ ଦମ୍ପତିକୁ ସ୍ୱାଗତ କରିଥିଲେ । ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ବିଦେଶ ବିଭାଗର ଅଧିକାରୀଙ୍କ ପ୍ରଶିକ୍ଷଣ ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଭାରତର ବୈଦେଶିକ ମନ୍ତ୍ରଣାଳୟ ସୁଷମା ସ୍ୱରାଜ ଇନଷ୍ଟିଚୁ୍ୟଟ ଅଫ ଫରେନ୍ ସର୍ଭିସ ସହ ଜାମାଇକାର ବୈଦେଶିକ ବାଣିଜ୍ୟ ବିଭାଗ ମଧ୍ୟରେ ଏହି ବୁଝାମଣା ହୋଇଥିଲା । ବୁଝାମଣା ଅନୁଯାୟୀ ଦୁଇଦେଶ ମଧ୍ୟରେ ଶୈକ୍ଷିକ ଓ ପ୍ରଶିକ୍ଷଣ କ୍ଷେତ୍ରରେ ଆଦାନପ୍ରଦାନ କାର୍ଯ୍ୟକ୍ରମ ଚାଲିବ । କିଙ୍ଗସଟନଠାରେ ଭାରତ-ଜାମାଇକା ଫ୍ରେଣ୍ଡସିପ୍ ପାର୍କକୁ ରାଷ୍ଟ୍ରପତି କୋବିନ୍ଦ ଉଦ୍ଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ । କୋବିନ୍ଦଙ୍କ ସହ ଜାମାଇକାର ଗଭର୍ଣ୍ଣର ଜେନେରାଲ ଦମ୍ପତି ଉପସ୍ଥିତ ଥିଲେ । ଏହାଛଡା କିଙ୍ଗସଟନ ସହରସ୍ଥିତ ଟାୱାର ଷ୍ଟ୍ରୀଟର ଏକ ଅଂଶକୁ ଆମ୍ବେଦକର ଆଭିନୁ୍ୟ ନାମରେ ନାମିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଙ୍ଗସଟନର ମେୟର ଡେଲରୟ ୱିଲିୟମ୍ସ ନିଜେ ଉପସ୍ଥିତ ରହିବା ସହ ଆମ୍ବେଦକରଙ୍କର ପ୍ରଶଂସା କରିବାକୁ ଯାଇ ମାର୍କସ ଗାର୍ଭେଙ୍କ ସହ ତୁଳନା କରିଥିଲେ । ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଗାର୍ଭେଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମାର୍କସ ମୋସିଆ ଗାର୍ଭେ (ଜୁନିଅର) ଜାମାଇକାର ସେଣ୍ଟ ଆନ ବେଠାରେ ୧୭ଅଗଷ୍ଟ ୧୮୮୭ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପଥର କଟାଳି ଥିଲାବେଳେ ମାତା ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେ ଦକ୍ଷିଣ ଆମେରିକାର ଅନେକ ରାଷ୍ଟ୍ର ଗସ୍ତକରି ଆଫ୍ରିକୀୟ ମୂଳବାସିନ୍ଦାଙ୍କ କଷ୍ଟକୁ ସ୍ୱଚକ୍ଷୁରେ ଦେଖିବାପରେ ୧୯୧୪ରେ ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ବୈଶ୍ୱିକ ନିଗ୍ରୋ ବିକାଶ ସଂଗଠନ ଜାମାଇକାଠାରେ ଆରମ୍ଭ କରିଥିଲେ । ତେଣୁ ଗୋରା ଲୋକେ ତାଙ୍କୁ ଶତ୍ରୁ ମନେକରି ଜେଲକୁ ପଠାଇ ଦେଇଥିଲେ । ୧୯୨୭ରେ ଆମେରିକାରୁ ଜାମାଇକାକୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା । ୧୯୩୫ରେ ସେ ଲଣ୍ଡନ ଚା ଲିଯାଇଥିଲେ ଏବଂ ୧୦ ଜୁନ୍ ୧୯୪୦ରେ ତାଙ୍କର ଦେହାନ୍ତ ହୋଇଥିଲା । କଳାଲୋକଙ୍କ ସ୍ୱାର୍ଥରେ ଗାର୍ଭେଙ୍କ ସଂଗ୍ରାମ ପରବର୍ତ୍ତୀ ସମୟରେ ଅନେକ ଆନେ୍ଦାଳନକୁ ପ୍ରେରଣା ଯୋଗାଇଥିଲା । ତାଙ୍କ ମତକୁ ଗାର୍ଭେବାଦ ଭାବେ ବେଶ୍ ସମ୍ମାନ କରାଯାଇଥାଏ । ୧୯୧୯ରେ ସେ ବ୍ଲାକ ଷ୍ଟାର ନାମରେ ଏକ ବାଣିଜି୍ୟକ ସଂସ୍ଥା ଆରମ୍ଭ କରିଥିଲେ ଯାହା ଆମେରିକା,ଆଫ୍ରିକା ଏବଂ କ୍ୟାରିବିଆନ ଦେଶଗୁଡିକରେ କଳାଲୋକଙ୍କ ଗମନାଗମନ ପାଇଁ ଜାହାଜ ଚଳାଚଳ କରିଥିଲା । ଗାର୍ଭେ ପେଶାରେ ଥିଲେ ସାମ୍ବାଦିକ । ନିଉୟର୍କ ସହରର ୧୩୩ ୱେଷ୍ଟ / ୧୨୯ ଷ୍ଟ୍ରୀଟର ବାସିନ୍ଦା ଗାର୍ଭେ ନାଗରିକତା ପାଇବାକୁ ୧ ସେପ୍ଟେମ୍ବର ୧୯୨୧ରେ ଆବେଦନକରି ହତାଶ ହେବା ପରେ ଇଂଲଣ୍ଡ ଯିବାକୁ ବାଧ୍ୟ ହୋଇଥିଲେ । କାରଣ ସିରିଲ ବ୍ରିଗସ୍ଙ୍କ ପରି କ୍ୟାରିବିଆନ କଳାନେତାମାନେ ତାଙ୍କ ନେତୃତ୍ୱକୁ ଆମେରିକାରେ ବିରୋଧ କରିବାକୁ ଲାଗିଲେ । ତେଣୁ ୧୫ ଫେବୃଆରୀ ୧୯୨୨ରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଅଣାଯାଇଥିଲା । ୫ଫେବୃଆରୀ ୧୯୨୫ରେ ତାଙ୍କୁ ଜେଲଦଣ୍ଡ ପାଇଁ ଆଟଲାଣ୍ଟାକୁ ପଠାଯାଇଥିଲା । ୧୮ ନଭେମ୍ବର ୧୯୨୭ରେ ତାଙ୍କୁ ଜାମାଇକାକୁ ପଠାଇଦେବା ଲାଗି ନିଦେ୍ର୍ଦଶ ପରେ ସେ ଆଉ ଆମେରିକା ନଫେରି ବ୍ରିଟେନକୁ ଚାଲିଯାଇଥିଲେ ।
ରାଷ୍ଟ୍ରପତି କୋବିନ୍ଦ କିଙ୍ଗସଟନଠାରେ ଜାମାଇକା କ୍ରିକେଟ ଆସୋସିଏନକୁ ୧୦୦ କ୍ରିକେଟ କିଟ୍ ଯୁବ ଖେଳାଳିଙ୍କୁ ଦେବାଲାଗି କ୍ରିକେଟ ବୋର୍ଡର ସଭାପତି ୱିଲଫୋର୍ଡ ବିଲି ହେଭେନଙ୍କୁ ହସ୍ତାନ୍ତର କରିଥିଲେ । ଏହାଛଡା ଭାରତର ରାଷ୍ଟ୍ରପତି କିଙ୍ଗସଟନର ଏକ ହୋଟେଲରେ ସେଠାକାର ବିରୋଧୀଦଳ ନେତା ମାର୍ଚ୍ଚ ଗୋଲଜିଙ୍ଗ ଏବଂ ବେଦୈଶିକ ବ୍ୟାପାର ଓ ବାଣିଜ୍ୟ ପ୍ରବକ୍ତା ଲିସା ହାନ୍ନାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଜାମାଇକା ସରକାର ଆଗାମୀ ଦିନରେ ଭାରତରୁ ସାର, ଗହମ ଆମଦାନୀ କରିବାକୁ ଚାହୁଁଥିବା ବିଷୟ ସେଠାକାର ବାଣିଜ୍ୟମନ୍ତ୍ରୀ ଅବିନ ହିଲ ପ୍ରକାଶ କରିଥିଲେ । ପୂର୍ବରୁ ଜାମାଇକା ଏହି ସବୁ ସାମଗ୍ରୀ ୟୁକ୍ରେନଠାରୁ କ୍ରୟ କରୁଥିଲା । ରାଷ୍ଟ୍ରପତି କୋବିନ୍ଦଙ୍କ ଏହି ଗସ୍ତ ବେଶ୍ ସଫଳ ହୋଇଥିବା କୁହାଯାଉଛି । ଏଥିପାଇଁ ୫ ପୁଲିସ କୋର୍ଟ (ଏକାଡିଆ) କିଙ୍ଗସଟନ ଠାରେ ଥିବା ଭାରତର ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଏବଂ ଉଚ୍ଚାୟୁକ୍ତ ଆର୍ ମାସାକୁଇଙ୍କ ଯୋଜନାକୁ ପ୍ରଶଂସା କରିବାକୁ ହେବ । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ ହେବା ଆଶା କରାଯାଏ ।

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

LEAVE A REPLY