ପ୍ରଧାନମନ୍ତ୍ରୀ ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ

0
415

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୪-୬, ୨୦୨୪ ରେ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ ।

ମାର୍ଚ୍ଚ ୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅଟେ ।

ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିବେ । ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିବେ ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକ୍ସନର ଚାରି ଲେନ୍, ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନର ୪ ଲେନ୍; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନର ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନର ୪ ଲେନ୍ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।  ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ସେକ୍ସନର ଆଠ ଲେନ୍ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ କରିବେ।

ରେଳ ସଂଯୋଗର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହିତ ରେଳ ନେଟୱାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି – ଦୈତାରୀ – ଟମକା – ଜଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନକୁ ସହଜ କରିବ, ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯିବ । ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହୋଲିଂ ୱାର୍କସପ୍, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିଓଡିକାଲ୍‌ ଓଭରହୋଲିଂ ୱାର୍କସପ୍ ଏବଂ ବାଘୁଆପାଳରେ ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଗସ୍ତ ସମୟରେ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବ।

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସ୍ୟାଣ୍ଡସ କମ୍ପ୍ଲେକ୍ସରେ ୫ ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଡିସାଲିନେସନ ପ୍ଲାଣ୍ଟକୁ ଉଦଘାଟନ କରିବେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଡିସାଲିନେସନ୍ ଟେକ୍ନୋଲୋଜିର କ୍ଷେତ୍ର ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।

LEAVE A REPLY