ମଦ ମାଫିଆ ଭାବେ କାର୍ଯ୍ୟ କରୁଥିବା ମଦ ଲାଇସେନ୍ସଧାରୀ ଗିରଫ , କୋର୍ଟ ଚାଲାଣ ଲାଇେସନ୍ସଧାରୀଙ୍କୁ ଅବକାରୀ କମିଶନରଙ୍କୁ କଡା ଚେତାବନୀ

0
220

 କଟକ, ୨୮ । ୦୨ : କଟକ ସେଣ୍ଟ୍ରାଲ ଡିଭିଜନ୍ ର ସ୍ପେଶାଲ ସ୍କ୍ଵାଡ୍ ର ଅବକାରୀ ଅଧିକାରୀମାନେ ଗତକାଲି ବାଲେଶ୍ୱର ଜିଲ୍ଲାର ଦୁଇ ଜଣ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୮୦୦ ଲିଟର ବେଆଇନ ମଦ ଜବତ କରାଯାଇଛି। ଯାହାକୁ OR-04-L-0575 ନମ୍ବର ଥିବା ଏକ ମହିନ୍ଦ୍ରା ବୋଲେରୋରେ ପରିବହନ କରାଯାଇଥିଲା।  ସେମାନଙ୍କୁ ପଚରାଉଚରାରୁ ଆଜି କଟକ ସେଣ୍ଟ୍ରାଲ ଡିଭିଜନ୍ ସ୍ପେଶାଲ ସ୍କ୍ବାଡ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଆଡା ଗ୍ରାମରେ OR-04-L-0575 ଗାଡ଼ି ମାଲିକ ଗୋବିନ୍ଦ ନାୟକଙ୍କ ଘରେ ଚଢ଼ଉ କରିବା ସହିତ ସେଠାରୁ  ୮୫୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ଗୋବିନ୍ଦ ନାଏକଙ୍କ ବାପା ଭାଗୀରଥି ନାଏକଙ୍କୁ ତାଙ୍କ ଘରେ ବେଆଇନ ମଦ ଗଚ୍ଛିତ ରଖିବା ଅଭିଯୋଗରେ ବାଲେଶ୍ୱର ସୋରୋ ସ୍ଥିତ ଜେଏମ୍ଏଫସି କୋର୍ଟଚାଲାଣ କରାଯାଇଛି। ଗୋବିନ୍ଦ ନାଏକ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ବେଆଇନ ମଦ କାରବାରରେ ବ୍ୟବହୃତ ଗାଡ଼ିକୁ ଜବତ କରିବା ପାଇଁ ପଦକ୍ଷେପ ନିଆଯିବ। ବାଲିଖଣ୍ଡିସ୍ଥିତ ଦେଶୀ ମଦ ଦୋକାନର ଲାଇସେନ୍ସପ୍ରାପ୍ତ ଇନ୍ଦ୍ରଜିତ ଗୁପ୍ତା ଏହି ବେଆଇନ ମଦ କାରବାରର କିଙ୍ଗପିନ୍ ବୋଲି ଜଣାପଡ଼ିଛି। ସେହି ଅନୁଯାୟୀ ଅନ୍ୟ ଏକ ଟିମ୍ ବାଲିଖଣ୍ଡିସ୍ଥିତ ଦେଶୀ ମଦ ଦୋକାନରେ ଚଢ଼ାଉ କରି ଦୋକାନ ପରିସରରେ ରଖାଯାଇଥିବା ୫୫୦ ଲିଟର ବେଆଇନ ମଦ ଜବତ କରିଛି। ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଲାଇସେନ୍ସଧାରୀ ଇନ୍ଦ୍ରଜିତ ଗୁପ୍ତାଙ୍କୁ ଗିରଫ କରାଯାଇ ଭଦ୍ରକ ଏସ୍ ଡିଜେଏମ୍ କୋର୍ଟକୁ ପଠାଯାଇଛି। ଅଧିକ ତଦନ୍ତ ପାଇଁ ତାଙ୍କ ଦେଶୀ ମଦ ଦୋକାନକୁ ସିଲ୍ କରାଯାଇଛି। ତଦନ୍ତ ପରେ ତାଙ୍କ ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ। ଏହି ବେଆଇନ ମଦ କାରବାରରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।

 ଯଦି କୌଣସି ଲାଇସେନ୍ସଧାରୀ ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼େ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ସମସ୍ତ ଲାଇସେନ୍ସଧାରୀଙ୍କୁ ଚେତାବନୀ ଦେଇଛନ୍ତି।

 

LEAVE A REPLY