ଚାକର ବାକର ପ୍ରସଙ୍ଗ ଏବେ ବି ଚର୍ଚ୍ଚାରେ

0
733

ସମ୍ବାଦପତ୍ରରେ ପ୍ରକାଶ ପାଉଥିବା କିଛି ଖବର ଅନେକ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଯାଏ । ରାଜନେତାଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ଏହା ଉପରେ ବିଭିନ୍ନ ସମୟରେ ଆଲୋଚନା କରନ୍ତି କିନ୍ତୁ ଏଭଳି ଏକ ଖବର ପଛର ଖବରଟି ସମ୍ପର୍କରେ ଜାଣିବା ସେମାନଙ୍କ ପକ୍ଷରେ ସହଜ ହୋଇନଥାଏ । ଏଭଳି ଏକ ଖବର ହେଉଛି ଚାକର ବାକର ପ୍ରସଙ୍ଗ ।
କିଛି ବର୍ଷ ତଳେ ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ପାଦକ ଥିଲେ ଶରତ ମିଶ୍ର । ଦିନେ ସନ୍ଧ୍ୟାରେ ମୋତେ ଟେଲିଫୋନ କଲେ । ପଚାରିଲେ, ଆପଣ କଣ ବ୍ୟସ୍ତ ଅଛନ୍ତି ? ଯଦି ବ୍ୟସ୍ତ ଥାଆନ୍ତି ତେବେ ପରେ କଥା ହେବି । ମୁଁ ମନାକଲି, କହିଲି ବ୍ୟସ୍ତ ନାହିଁ, ଆପଣ କୁହନ୍ତୁ ।
ସେ କହିଲେ, ପ୍ୟାରିବାବୁ(ପ୍ୟାରିମୋହନ ମହାପାତ୍ର) ଆପଣଙ୍କ କଥା ପଚାରୁଥିଲେ । ଆପଣ ଫ୍ରି ଥିଲେ ଯାଇ ଦେଖାକରି ପାରିବେ? ମୁଁ ପଚାରିଥିଲି ସାର୍‌ ଏବେ ଦେଖା କରିବା କଣ ନିହାତି ଜରୁରୀ? କହିଲେ ଯିବି, କିନ୍ତୁ ଏ ସମୟ ହେଉଛି ଖବର ପ୍ରସ୍ତୁତ କରିବାର ଭିଡ଼ ସମୟ । ଅନେକ ଖବର ରହିଛି । ସେ ସବୁ ପଠାଇବାକୁ ପଡ଼ିବ । ସାର୍‌ ବୁଝିଗଲେ, କହିଲେ ସେ ଆପଣଙ୍କ ସହ କିଛି କଥାବାର୍ତ୍ତା ହେବାକୁ ଚାହୁଁଥିଲେ । ମୁଁ ଆପଣଙ୍କ ଫୋନ ନମ୍ବର ଦେଇ ଦେଉଛି, ସେ ଆପଣଙ୍କ ସହ କଥାହେବେ । ଆପଣ କେତେବେଳେ ଯାଇପାରିବେ ତାଙ୍କୁ କହିବେ ।
ପ୍ୟାରିବାବୁଙ୍କ ଘରୁ ଟେଲିଫୋନ ଆସିଲା । କଥାବାର୍ତ୍ତା ହେଲି । ସକାଳ ୮ଟାରେ ଯିବାକୁ ସ୍ଥିର ହେଲା । ନିର୍ଦ୍ଧାରିତ ସମୟରେ ପ୍ୟାରିବାବୁଙ୍କ ସହିଦନଗର ବାସଭବନରେ ପହଞ୍ଚôଲି । ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଡାକିନେଇ ପ୍ୟାରିବାବୁଙ୍କ ବାସଭବନ କାର୍ଯ୍ୟାଳୟରେ ବସାଇଲେ । ପାଣି ଏବଂ ଚା ଦେଲେ ।
ପାଞ୍ଚ ମିଟିଟି ଭିତରେ ପ୍ୟାରିବାବୁ ଆସିଲେ । ମୁଁ ଠିକ ସମୟରେ ପହଞ୍ଚôଥିବାରୁ ଧନ୍ୟବାଦ ଦେଲେ । ଆରମ୍ଭ ହେଲା ଆଲୋଚନା । ସେ ବିଜୁ ଜନତା ଦଳର କାର୍ଯ୍ୟଧାରା ଉପରେ ଅନେକ କଥା କହିଲେ । ଆଲୋଚନା ଭିତରେ ଆମେ ଆଉ ଦୁଇ ଦୁଇକପ ଚା ମଧ୍ୟ ପିଇ ସାରିଥାଉ । ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରିବାବୁ କହୁକହୁ କହିଥିଲେ, ଚାକର ବାକରଙ୍କ ଦ୍ୱାରା ଚାଲିଛି ବିଜେଡି । ନବୀନ ନିବାସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଆକ୍ଷେପ କରି ସେ ଏହି ମନ୍ତବ୍ୟ ଦେଇଥିଲେ ।
ଖବର ସଂଗ୍ରହ କରି ଫେରିଲି । ଖବରଟି ପ୍ରସ୍ତୁତ କରି ସମ୍ପାଦକଙ୍କ ନିକଟକୁ ପଠେଇଲି । ସମ୍ପାଦକ ସନ୍ଧ୍ୟାରେ ଏହାକୁ ଦେଖି ଫୋନ କଲେ, କହିଲେ, ପ୍ୟାରିବାବୁ କ’ଣ ଏଭଳି କହିଲେ । ହଁ କହିଲି । ସମ୍ପାଦକ ଖବରଟିର ହେଡିଂ ‘ଚାକର ବାକରଙ୍କ ଦ୍ୱାରା ଚାଲିଛି ବିଜେଡି’ ରଖିଥିଲେ । ଏହା ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା । ସମଗ୍ର ରାଜ୍ୟରେ ବେଶ ହଟ୍ଟଚମଟ ସୃଷ୍ଟି କରିଥିଲା ପ୍ୟାରିଙ୍କ ମନ୍ତବ୍ୟ ।
ସୂର୍ଯ୍ୟ ନାରାୟଣ ପାତ୍ର ସେଦିନ ଏକ ସଭାରେ ଯୋଗ ଦେଇଥିଲେ । ସଭା ସରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ୟାରିବାବୁଙ୍କ ଏଭଳି ମନ୍ତବ୍ୟ ଉପରେ ତାଙ୍କ ପ୍ରତିକ୍ରିୟା ନେବାକୁ ଯାଇ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ପ୍ୟାରିବାବୁ କ’ଣ କହିଛନ୍ତି, କାହା ଉଦେ୍ଦଶ୍ୟରେ କହିଛନ୍ତି ତାହା ସୂର୍ଯ୍ୟ ପାତ୍ର ଜାଣିନଥିଲେ । ସମ୍ବାଦପତ୍ର ବି ପଢ଼ି ନଥିଲେ । କହୁ କହୁ କହିଥିଲେ ହଁ ଆମେ ସବୁ ନବୀନ ବାବୁଙ୍କ ଚାକର । ଏହା ବିଜେଡି ବିରୋଧୀଙ୍କ ପାଇଁ ଏକ ଅସ୍ତ୍ର ହୋଇପଡ଼ିଥିଲା । ସୂର୍ଯ୍ୟ ପାତ୍ରଙ୍କ ଏଭଳି ଉତ୍ତର ରାଜ୍ୟରେ ସରଗରମ ଆଲୋଚନାର ବିଷୟ ହୋଇଥିଲା ।
କେବଳ ଏହା ସେତିକିରେ ସରିଲା ନାହିଁ । ଏହାକୁ ନେଇ ବିଜେଡି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବିଭିନ୍ନ ସଭା ସମିତି ଓ ବିଧାନସଭାରେ ବି ଏହା ଉପରେ ଆଲୋଚନା କଲେ । ଦଳର ବରିଷ୍ଠ ସଦସ୍ୟମାନେ ସୂର୍ଯ୍ୟ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବିଜେପିର ଜୟନାରାୟଣ ମିଶ୍ର ଏବଂ କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ଗୃହ ଏବଂ ଗୃହ ବାହାରେ ଅନେକ ସମୟରେ ଚାକର ବାକର କଥା ଉଠାଇ ବିଜେଡି ସଦସ୍ୟଙ୍କୁ ଅପଦସ୍ତ କରିବା ଦେଖାଯାଇଥିଲା ।
ଟିକିଏ ଟିକିଏ କଥାରେ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ଏବେ ବି ଦୋହରାଉଛନ୍ତି । ନିକଟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସାଧାରଣ ସଭାରେ ବି ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି ।
ଖବରଟି ପ୍ରକାଶ ପାଇବାର ଅନେକ ବର୍ଷ ବିତିଯାଇଛି । ପ୍ୟାରିବାବୁ କି ସୂର୍ଯ୍ୟନାରାୟଣ ପାତ୍ର ନାହାନ୍ତି । ସମାଜର ତକ୍ରାଳୀନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ ଘଟିଛି । କିନ୍ତୁ ଖବରଟି ଏବେ ବି ଚର୍ଚ୍ଚାରେ ରହିଛି ।
ରବିପ୍ରିୟ ଦାଶ
ମୁକ୍ତବୃତ୍ତ ସାମ୍ବାଦିକ

LEAVE A REPLY