ବସ୍ ଷ୍ଟାଣ୍ଡକୁ ଆଉ ପୁନଃ କାର୍ଯ୍ୟକ୍ଷମ କରିବା ଚିନ୍ତା ପରିହାର କରି ସେହି ପ୍ରକଳ୍ପକୁ ସବୁ ଦିନ ପାଇଁ ବନ୍ଦ ଘୋଷଣା କରିଦିଆଯାଉ : ବ୍ରହ୍ମପୁର ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି

0
1918

ବ୍ରହ୍ମପୁର : ବୃହତ ଯୋଜନା ଓ ମେଗା ଶିଳ୍ପ ଏବଂ ଭିତ୍ତିଭୂମି ଭିତ୍ତିକ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବ୍ରହ୍ମପୁର ସହର ପରିଧି ମଧ୍ୟରେ ଯଥେଷ୍ଟ ସରକାରୀ ଓ ବେସରକାରୀ ଜାଗାର ଅଭାବ ରହିଛି ବୋଲି ସରକାର ଓ ପ୍ରଶାସନିକ ସ୍ତରରେ ସମସ୍ତେ ଜାଣିବା ସ୍ଵତ୍ତେ ଭାରତର ସର୍ବ କନିଷ୍ଠ ମହାନଗର ନିଗମର ମାନ୍ୟତା ପାଇଥିବା ବ୍ରହ୍ମପୁର ମହାନଗର ନିଗମରେ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ତଥା ସହର ତଳି ଅଞ୍ଚଳକୁ ସାମିଲ କରି ଏହାର ପରିସୀମାକୁ ପରିବର୍ଦ୍ଧିତ କରିବା ପାଇଁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବହୁ ଦିନରୁ ଦାବୀ ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ଦୂରଦୃଷ୍ଟି ଏବଂ ରାଜନୈତିକ ଇଚ୍ଛା ଶକ୍ତି ଓ ଆନ୍ତରିକତା ଅଭାବରୁ ତାହା ଆଜି ପର୍ଯ୍ୟନ୍ତ ସାକାର ହୋଇ ପାରିଲା ନାହିଁ। ଯାହା ଫଳରେ ବ୍ରହ୍ମପୁର ମହାନଗର ନିଗମ ଚାହିଁଲେ ସୁଦ୍ଧା କୌଣସି ଆଖିଦୃଶିଆ ବୃହତ୍ ପ୍ରକଳ୍ପ ସଫଳତାର ସହ ହାତକୁ ନେଇ ପାରୁନି ଯଦି ନେଉଛି ଜାଗା ଅଭାବ ତଥା ଅନ୍ୟାନ୍ୟ କାରଣରୁ ତାହା ବିବାଦ ମଧ୍ୟରେ ଛନ୍ଦି ହୋଇପଡୁଛି ଓ ସମ୍ପୂର୍ଣ୍ଣ ନହୋଇ ଅଧାପନ୍ତରିଆ ପଡ଼ି ରହୁଛି ଫଳରେ ସମୟ ଓ ସରକାରୀ ଅର୍ଥର ଅପଚୟ ହିଁ କେବଳ ହେଉଛି। ପରନ୍ତୁ ଯଦି ସରକାର ୨୦୦୮ ଘୋଷଣନାମା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ୧୮ ଟି ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଓ ସହର ସନ୍ନିକଟ ଅଞ୍ଚଳକୁ ବି ଏମ୍ ସି ରେ ସାମିଲ କରି ଦିଆଯାଇପାରି ଥାନ୍ତା, ତାହାହେଲେ ରେଳ, ସଡ଼କ ଓ ଆକାଶ ପଥ ଭଳି ଅତି ଆବଶ୍ୟକ ସକଳ ପ୍ରକାର ଭିତ୍ତଭୂମିର ବିକାଶ ଅଚିରେ ତ୍ଵରାନିତ ହୋଇ ପାରି ଥାନ୍ତା।
ଏ ପରିପ୍ରେକ୍ଷୀରେ ଆମେ ଏଠାରେ ସହର ତଳି ଅଞ୍ଚଳ ହଳଦିଆପଦର ପଞ୍ଚାୟତ ଠାରେ ସିଟି ବସ୍ ଷ୍ଟାଣ୍ଡର ନିର୍ମାଣ କରିବା ଜନିତ ସରକାର ଏବଂ ତତ୍ କାଳୀନ ଜିଲ୍ଲା ପ୍ରଶାସନର ବଡ ପଣ୍ଡମାନଙ୍କ ନିଷ୍ପତ୍ତି ବିଷୟରେ ପ୍ରଶ୍ନ ଉଠେଇବାକୁ ଚାହୁଁଚୁ। ହଳଦିଆପଦର ଭଳି ଏକ ପଞ୍ଚାୟତର ଜାଗାରେ ଯାହା ମହାନଗର ସନ୍ନିକଟରେ ଅବସ୍ଥିତ ତାହାକୁ ମହାନଗର ନିଗମରେ ସାମିଲ ନକରି ସେଠାରେ ସିଟି ବସ୍ ଷ୍ଟାଣ୍ଡର ନିର୍ମାଣ କରିବାର ନିଷ୍ପତ୍ତି ନିଆଯିବା କେବଳ ନୈତିକତା ଦୃଷ୍ଟିରୁ ଭୁଲ୍ ନୁହେଁ ଆଇନ ଦୃଷ୍ଟିରୁ ମଧ୍ୟ ଗ୍ରହଣୀୟ ନୁହେଁ। ଏତଦ୍ ବ୍ୟତୀତ ଉକ୍ତ ବସ ଷ୍ଟାଣ୍ଡଟି ଜାତୀୟ ରାଜପଥ କଡ଼ରେ ଥିବାରୁ ତାହା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବ ବୋଲି ବିଭିନ୍ନ ସଙ୍ଗଠନ, ଜନସାଧାରଣ ଏପରିକି ଖୋଦ୍ ବସ ମାଲିକ ସଂଘ ଆପତ୍ତି ପ୍ରତିବାଦର ସ୍ୱର ଉଠେଇ ଆସିଛନ୍ତି ଓ ସେହି ଜାଗା ଦୁର୍ଘଟଣା ପ୍ରବଣ ସ୍ଥଳରେ ପରିଣତ ହେବାର ସମସ୍ତ ସମ୍ଭାବନା ଥିବାରୁ ଯାତ୍ରୀଙ୍କ ଜୀବନ ଓ ସୁରକ୍ଷାକୁ ବିପଦରେ ପକାଇ ଅପଖ୍ୟାତି ଆଣିଥାନ୍ତା ବୋଲି କହି ଆସୁଛନ୍ତି। ସେ ସବୁକୁ ନଜରରେ ରଖି ବସ୍ ଷ୍ଟାଣ୍ଡ ନିର୍ମାଣ ସମୟରୁ ଏହି ଜାଗା ସିଟି ବସ୍ ଷ୍ଟାଣ୍ଡ ସକାଶେ ଚୟନରେ ତ୍ରୁଟି ରହିଛି ବୋଲି ଯାହା କୁହାଯାଉଥିଲା ତାହା ଆଜି ସତରେ ପରିଣତ ହୋଇଛି। କିନ୍ତୁ ସରକାର ଓ ପ୍ରଶାସନ ସେ ସମୟରେ ସେଗୁଡ଼ିକୁ ଅଣଦେଖା କଲା ଯାହାର ପରିଣମ ସ୍ୱରୂପ ତାହା ଆଜି ଯେଉଁ ଉଦ୍ଧେଶ୍ୟ ନେଇ ନିର୍ମାଣ ହୋଇଥିଲା ତାହା ଉପଯୋଗୀ ଓ ବ୍ୟବହାର୍ଯ୍ୟ ଯୋଗ୍ୟ ହୋଇନପାରି ଅପାଙ୍କ୍ତୟ ହୋଇ ଏହାର ସମସ୍ତ ଭିତ୍ତିଭୂମି ପଡ଼ି ପଡ଼ି ନଷ୍ଟ ହେବାକୁ ବସିଥିବା ବେଳେ ବର୍ତ୍ତମାନ ସରକାର ସେଠାରେ କନିସି ତହସିଲ ଅଫିସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାର ମସୁଧା କରୁଛନ୍ତି ଏବଂ ସେହି ନିର୍ମାଣ ସ୍ଥଳିକୁ ବିନିଯୋଗ କରିବାର ପ୍ରୟାସ କରୁଛନ୍ତି ଯାହା ସ୍ବାଗତ ଯୋଗ୍ୟ କାରଣ ସେ ଜାଗା ପ୍ରଥମରୁ ହିଁ ବସ ଷ୍ଟାଣ୍ଡ ପାଇଁ ଅନୁପଯୁକ୍ତ ଥିଲା। କିନ୍ତୁ ଯେଉଁ ଦୂରଦୃଷ୍ଟି ହୀନ ଓ ଅବିବେକି ସରକାରୀ ଅଧିକାରୀ ମାନଙ୍କ ଯୋଗୁ ସରକାରଙ୍କ ଏତେ ବଡ ଡ୍ରିମ୍ ପ୍ରୋଜେକ୍ଟଟା ବରବାଦ୍ ହେଲା ସରକାରଙ୍କ ଏତେ ଟଙ୍କା ଯାହା ଜନସାଧାରଣଙ୍କ ପଇସା ପାଣିରେ ପଡ଼ିଲା ସେହି ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ସେହି ଦୃଷ୍ଟିରୁ ସରକାର ସହର ତଳି ଅଞ୍ଚଳକୁ ବି ଏମ ସି ରେ ଅବିଳମ୍ବେ ସାମିଲ କରି ପ୍ରକାରାନ୍ତରେ ସହର ତଳି ଅଞ୍ଚଳର ଅନ୍ୟ ଯେ କୌଣସି ସ୍ଥାନରେ ସେ ନରେନ୍ଦ୍ରପୁର ହେଉ କିମ୍ବା ଡୁରା , ଆଙ୍କୁଶପୁର ଅଥବା ଝଡ଼ାଙ୍କୁଲି ନିକଟବର୍ତ୍ତୀ ଯେ କୌଣସି ଜାଗାରେ ହେଉ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଓ ସୁବିଧାକୁ ପ୍ରାଥମିକ ନଜରରେ ରଖି ଏବଂ ଗମନା ଗମନର ସହଜତା ଓ ସୁବିଧାକୁ ଦୃଷ୍ଟିରେ ରଖି ସିଟି ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ନୂତନ ସ୍ଥାନ ଉପର ବର୍ଣ୍ଣିତ ଯେ କୌଣସି ଜାଗାରେ କରିବା ନିମନ୍ତେ ଘୋଷଣା କରନ୍ତୁ ଏବଂ ହଳଦିଆପଦର ସିଟି ବସ୍ ଷ୍ଟାଣ୍ଡକୁ ପରିତଜ୍ୟ ଘୋଷଣା କରି ସବୁ ଦିନ ପାଇଁ ସେହି ପ୍ରକଳ୍ପକୁ ବନ୍ଦ ହେଲା ବୋଲି ଘୋଷଣା କରନ୍ତୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଏକ ପ୍ରେସ ବିବୃତିରେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି। ଏ ନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ଟି ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖଙ୍କ ଇମେଲ ଓ ପୋଷ୍ଟାଲ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି।ଏକ ମାସ ଅବଧି ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଇନର ଆଶ୍ରୟ ନିଆଯିବ ବୋଲି ସ୍ମାରକ ପତ୍ର ରେ ଦର୍ଶାଯାଇଛି।

LEAVE A REPLY