ମାନବୀୟ ସହଜାତ ପ୍ରକୃତି ଏବଂ ଆତ୍ମାନୁଶିଳନ

ସାଧାରଣତଃ, ମଣିଷ କହିଲେ, ଈଶ୍ଵର ସୃଷ୍ଟିରେ ଏକ ଦୁଇ ପଦଧାରି, ପକ୍ଷ ବିହୀନ ପ୍ରାଣୀ କେବଳ ନୁହେଁ । ତା’ ଭିତରେ ଅନେକ ଆବେଗର ସୁସଜ୍ଜିତ ଭଣ୍ଡାରଟିଏ ଅଛି। ମଣିଷର ଜୀବନ କହିଲେ ଜନ୍ମ ଓ ମୃତ୍ୟୁର ବନ୍ଧନୀ ମଧ୍ୟରେ ଥିବା ଈଶ୍ଵର ଅନୁମୋଦିତ ଆୟୁଷ କେବଳ ନୁହେଁ। ସେ ଭିତରେ ଅନେକ ସମ୍ଭାବନାର ସମ୍ଭାବନା ଅଛି। ଅନୁରୂପ ଭାବରେ, ମଣିଷର ଶରୀର କହିଲେ, କିଛି ଅସ୍ତି, କିଛି ରକ୍ତ ତଥା କିଛି ମାଂସର ଏକ‌ ଜୀବନ୍ତ କଣ୍ଢେଇ ନୁହେଁ । ତା’ଭିତରେ ଭଲ-ମନ୍ଦ, ନ୍ୟାୟ-ଅନ୍ୟାୟ, ଧର୍ମ-ଅଧର୍ମ ଇତ୍ୟାଦି ଭିତରେ ପାର୍ଥକ୍ୟ ବୁଝିବାର ସାମର୍ଥ୍ୟ ଅଛି। ଏବଂ, ସେ‌ହି ବୁଝାବଣାକୁ ଆଧାର କରି, ଜୀବନକୂ ଏକ ସକାରାତ୍ମକ ଦିଗରେ ଆଗେଇ ନେବାର ଉତ୍ସ୍ବାସ ମଧ୍ୟ ଅଛି । ବୋଧହୁଏ ଏଇଥି ପାଇଁ ମଣିଷକୁ ଈଶ୍ଵରଙ୍କର ଏକ ଅନବଦ୍ୟ ସୃଷ୍ଟି ତଥା ମଣିଷ ଜୀବନକୁ ମାନବୀୟ ଗୁଣାବଳୀର ଉତ୍ତରଣ ନିମିତ୍ତ ଏକ ସମ୍ଭାବନାମୟ ଦୁର୍ଲଭ ତଥା ସ୍ବତନ୍ତ୍ର ସୁଯୋଗ ବୋଲି ବିଚାର କରାଯାଏ ।

ଅବଶ୍ୟ ବେଳେବେଳେ ଏପରି ମଧ୍ୟ ଘଟିଛି ଅନେକଙ୍କ କ୍ଷେତ୍ରରେ।

ଦୁର୍ଭାଗ୍ୟ ଜନକ ଭାବରେ କୌଣସି ଏକ ନକାରାତ୍ମକ ଆବେଗ କବଳିତ କରିଛି ବ୍ୟକ୍ତି ଚେତନାକୁ। ଏକ ଭୂଲ୍ ରାସ୍ତାକୁ ଠିକ୍ ରାସ୍ତା ବୋଲି ବୁଝିନେଇ, ଆଗକୁ ମାଡ଼ି ଯାଇଛି ଜୀବନ। ଏବଂ, ପରବର୍ତ୍ତୀ ସମୟରେ, ହଠାତ୍ ଏକ ଅନୁଭବାତ୍ମକ ଅନୁତାପ ଏହି ବିଡମ୍ବନାର ଶିକାର ହୋଇଥିବା ମଣିଷକୁ ସଠିକ୍ ମାର୍ଗ ଚୟନରେ ସାହାଯ୍ୟ କରିଛି।

ଇତିହାସ ପୃଷ୍ଠାରେ ମହାପ୍ରତାପୀ, ଯୁଦ୍ଧ ପ୍ରେମୀ ସମ୍ରାଟ ଅଶୋକଙ୍କ ବିଷୟରେ କିଏ ବା ନ ଜାଣିଛନ୍ତି ?

ନିଜ ଭିତରେ ସଦାସର୍ବଦା ସତେଜ ଥିବା ସାମ୍ରାଜ୍ୟ ଲିପ୍ସା ଅଶୋକଙ୍କୁ ଯେ ଚଣ୍ଡାଶୋକରେ ସଜାଇ ସାରିଥିଲା, ଏ କଥା ସେ ନିଜେ ମଧ୍ୟ ଜାଣି‌ ନଥିଲେ। ପ୍ରତି ମୂହୁର୍ତ୍ତରେ ତରବାରୀର ଡାକରା ତାଙ୍କୁ ବେଶ୍ ଉତ୍ତେଜିତ କରୁଥିଲା। ରକ୍ତ ରଞ୍ଜିତ ଯୁଦ୍ଧ କ୍ଷେତ୍ରରେ ତାଙ୍କର ଚକ୍ଷୁ ଜୁଗଳ କେବଳ ଖୋଜି ବୁଲୁଥିଲା ବିଜୟ ତିଳକ। ସେ ଦେଖି ପାରୁନଥିଲେ କୌଣସି ନୀରିହ ମୃତ୍ୟୁର କାରୁଣ୍ୟତାକୁ। ତାଙ୍କର ଯୁଦ୍ଧଖୋର୍ ମାନସିକତା ରୂପି ଅଗ୍ନିରେ ଜଳି ଯାଉଥିବା ଅନେକ ସଂସାରକୁ। ସେ ନିଜେ ନିଜକୁ ବଧୀର କରିଦେଇଥିଲେ କୌଣସି ବି ଆର୍ତ୍ତ ଚିତ୍କାର ନ ଶୁଣିବା ପାଇଁ। ତାଙ୍କୁ ସଦାସର୍ବଦା ଆଚ୍ଛନ୍ନ କରି ରଖୁଥିଲା ସାମ୍ରାଜ୍ୟବାଦର ଉତ୍କଟ ନିଶା। ବୋଧହୁଏ ଏଇଥି ପାଇଁ, ଯେତେବେଳେ ଧଉଳି ଗିରିର ପାଦଦେଶରେ ଘଟି‌ଯାଇଥିବା ମହାନ୍ କଳିଙ୍ଗ ଯୁଦ୍ଧର ବିଭିଷିକାକୁ ଦେଖି ସେ ମସଗୁଲ ଥିଲେ, ମୃତକମାନଙ୍କ ମୁଣ୍ଡ ଗଣୁଥିଲେ, ସେତେବେଳେ ବୌଦ୍ଧ ସନ୍ୟାସୀ ଉପଗୁପ୍ତଙ୍କର ଉପସ୍ଥିତି ତାଙ୍କୁ ବେଶ୍ ଆଶ୍ଚର୍ଯ୍ୟାନ୍ବୀତ କରିଥିଲା।

ବାହ୍ୟ ଦୃଷ୍ଟିରୁ, ବେଶ୍ ପ୍ରଶାନ୍ତ ପ୍ରତିୟମାନ ହେଉଥିଲେ ଉପଗୁପ୍ତ। ତତ୍କାଳୀନ ସମୟର ଜଣେ ପ୍ରସିଦ୍ଧ ବୌଦ୍ଧ ସନ୍ୟାସୀ। ଗୌର ବର୍ଣ୍ଣର ଦେହକୁ ଗୈରିକ ବର୍ଣ୍ଣର ପୋଷାକ ଥିଲା ଚିତ୍ତାକର୍ଷକ।
ବେଶ୍ ସାବଲୀଳ ଧୀର ମନ୍ଥର ପଦପାତ କରି, ସମ୍ରାଟ ଅଶୋକଙ୍କ ନିକଟରେ ପହଞ୍ଚିଲେ।

-“ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କର ଜୟ‌ହେଉ !”

ବିଭତ୍ସ ମୃତ୍ୟୁର ତାଣ୍ଡବଲୀଳାରୁ ଆନନ୍ଦ ଲାଭ କରୁଥିବା, ଅଶୋକ ଟିକେ ଆଖି ଉଠାଇ, ଭୃକୁଞ୍ଚନ ପୂର୍ବକ ପ୍ରଶ୍ନ କଲେ।

-“ପରିଚୟ ?”

-“ଜଣେ ମଣିଷ। ଯଦିଓ, ଲୋକ ମୁଖରେ ମୁଁ ଉପଗୁପ୍ତ ରୁପେ ପରିଚିତ।”

-“ଏଠାକୁ ଆସିବାର ଉଦ୍ଧେଶ୍ୟ ?”

-“କେବଳ, ଭିକ୍ଷା ପାଇଁ।”

-“ଏଠି ତ ଭିକ୍ଷା ଦେବା ପାଇଁ କେହି ନାହାନ୍ତି !”

-“ନଥାନ୍ତୁ କେହି। ତୁମେ ତ ଅଛ !”

ଅଶୋକ ବିସ୍ମିତ ହୋଇଗଲେ, ଉପଗୁପ୍ତଙ୍କର ସାହସକୁ ଦେଖି। ମନ ତଳର ବିରକ୍ତ ଭାବକୁ ନିୟନ୍ତ୍ରଣ କରି, ପୁନଶ୍ଚ ପ୍ରଶ୍ନ କଲେ।

-“କଣ୍ ଆଶା ରଖିଛ ମୋ’ଠାରୁ ?”

ଅତ୍ୟନ୍ତ ନମ୍ରତାର ସହିତ ଉପଗୁପ୍ତ ଉପସ୍ଥାପନ କଲେ, ନିଜର ଆବେଦନକୁ।

-“ଏତେ ଗୁଡିଏ ମଣିଷ ମାରିଛ ! ଏତେ ମାନଙ୍କର ଜୀବନ ନେଇଛ ! ଢେର୍ ମାନଙ୍କ ମୃତ୍ୟୁର କାରଣ ହୋଇଛ, ତୁମେ ? ଏ ସମସ୍ତ କଥା ଏତେ ସତ୍ୟ ଯେ, ଅନୁମାନ କରିବାର ଆବଶ୍ୟକତା ହିଁ ନାହିଁ। ହେଲେ ସମ୍ରାଟ ! ମୋର ଅନୁରୋଧ ରକ୍ଷାକରି ଗୋଟିଏ ଜୀବନ ତୁମେ ଫେରାଇ ପାରିବ ମୋତେ ?”
ମୁଖମଣ୍ଡଳରେ ବିଶେଷ ଭାବରେ ଉଦାରତାର ଭାବ ବହନ କରିଥିବା ଉପଗୁପ୍ତଙ୍କର ଗୁରୁ ଗମ୍ଭୀର ପ୍ରଶ୍ନ ଯେ ସ୍ବୟଂ ଅଶୋକଙ୍କର ବିଚାରଧାରାକୁ ଦୋହଲାଇ ଦେବ, ଏ କଥା ସେ ନିଜେ ମଧ୍ୟ କଳ୍ପନା କରି ନଥିବେ।

ଉପଗୁପ୍ତଙ୍କର ଏଇ ପ୍ରଶ୍ନଟି ସମ୍ରାଟ ଅଶୋକଙ୍କର ଚେତନାର ଚୌହଦିକୁ ବଦଳାଇ‌ ଦେଲା। ବୁଝି ପାରିଲେ ନିଜର ଅବିମୃଷ୍ୟକାରିତାକୁ। ଦିଗ୍ ବିଜୟୀ ହେବାର ଅଦମ୍ୟ ଲାଳସା ଧୀରେ ପ୍ରଶମିତ ହେଲା। ଏବଂ ପ୍ରକାରାନ୍ତରେ ମୁଣ୍ଡ ଟେକିଲା ବୌଦ୍ଧ ଧର୍ମର ବିଚାରକୁ ଆପଣାର କରି, ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ନିଜକୁ ନିୟୋଜିତ କରିବାର ଏକ ଦୁର୍ବାର ସଙ୍କଳ୍ପ। ଲୋକ ଲୋଚନରେ ଏକଦା ଦୃଶ୍ୟମାନ ହେଉଥିବା ଚଣ୍ଡାଶୋକ, ଧର୍ମାଶୋକ ହୋଇଗଲେ।

ଏଇ ଜଣାଶୁଣା କାହାଣୀଟି ଉପସ୍ଥାପନ କରିବାର ପ୍ରକୃତ ଉଦ୍ଦେଶ୍ୟଟି କ’ଣ ?

ଆମକୁ ଅନୁଭବ କରିବା ପାଇଁ ପଡିବ କି, ଆମ ଭିତରେ ଉଭୟ ନକରାତ୍ମକ ଏବଂ ସକାରାତ୍ମକ ଆବେଗ ସମୁହ ପ୍ରାୟତଃ ଅଳ୍ପ ବେଶୀ ‌ହୋଇ‌ ରହିଛି। ଅବଶ୍ୟ, ଆମେ ଯାହାକୁ “ଆବେଗ” ବୋଲି ବୁଝୁଛନ୍ତି, ତାହାକୁ ଅନ୍ୟ ଭାଷାରେ “ସଂସ୍କାର” ନାମରେ ଅଭିହିତ କରିହେବ, ଯାହାର ସମ୍ପର୍କ ଆମର ପୂର୍ବ ଜନ୍ମର ଅଭ୍ୟାସ ସହିତ।

ଯେପରି ସୋମବାରର ଚା’ପିଆ ଅଭ୍ୟାସ ମଙ୍ଗଳବାରକୁ ସ୍ବତଃ ସଂଚରିତ ହୋଇଥାଏ, ଠିକ୍ ସେହିପରି, ଗୋଟିଏ ଜନ୍ମର କୌଣସି କୌଣସି ଅଭ୍ୟାସର ସୁକ୍ଷ୍ମ ବିଭା ପରବର୍ତ୍ତୀ ଜୀବନକୁ “ସଂସ୍କାର” ହୋଇ ସଂଚାରୀ ଯାଏ। ଏବଂ, ଏହି ସଂଚରିତ ସଂସ୍କାର ହିଁ ଆମର ସହଜାତ ସ୍ବଭାବ ବା ପ୍ରକୃତିର ଆଧାର ହୋଇ ଯାଏ।

ଯଦି ସହଜାତ ପ୍ରକୃତି ସୁନ୍ଦର, ତେବେ ଅନୁକୂଳ ପରିବେଶରେ ତାହା ବିକଶିତ ହେବା ପାଇଁ ସହଜ ହୋଇ ଯାଏ। ଯଦି ସହଜାତ ପ୍ରକୃତିଟି ଅସୁନ୍ଦର, ସେ ମଧ୍ୟ ଖୋଜି ବସେ ତା’ପାଇଁ ଏକ ସହଯୋଗୀ ପରିବେଶ। “ଖସିଗଲା ଗୋଡ଼ ତଳକୁ” ନ୍ୟାୟରେ ଅନ୍ତସ୍ତଃ ନକାରାତ୍ମକ ଆବେଗ ବ୍ୟକ୍ତିଗତ ଜୀବନକୁ ବିଡମ୍ବିତ କରିଦିଏ।‌

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା କି, ଯେତେବେଳେ ଭିତରେ ଥିବା ନକାରାତ୍ମକ ଆବେଗ ଗୁଡ଼ିକ ଆତ୍ମସଞ୍ଜମ ଦ୍ଵାରା ଅବଦମିତ ହୋଇ, ସକାରାତ୍ମକ ଆବେଗ ଗୁଡ଼ିକ ଜୀବନଧାରାରେ କାର୍ଯ୍ୟକାରୀ ହୁଏ, ସେତେବେଳେ ହିଁ ଜୀବନର ପ୍ରକୃତ ସ୍ବାଦ ବୁଝି ହୁଏ। ନାହିଁ ଯଦି ତାହା ନ ହେଲା, ସାଧାରଣ ମଣିଷଟିଏ ନିଜର ସହଜାତ ପ୍ରକୃତିର ପ୍ରଭାବରେ, ଇନ୍ଦ୍ରିୟ ମାନଙ୍କ ଦାବି ନିକଟରେ ନିଜର ବିଚାରଗତ ସାମର୍ଥ୍ୟ ହରାଇ, ଇନ୍ଦ୍ରିୟାନୁମୋଦିତ କର୍ମ ଏବଂ ତଦ୍ ଜନୀତ ଆନନ୍ଦ ଲାଭ ପାଇଁ ଆଗ୍ରହୀ ହୋଇ ଯାଏ। ଏପରି ବ୍ୟକ୍ତି ବିଶେଷ ଶେଷରେ ନିଜର ମଣିଷ ପଣିଆ ନିଜେ ହିଁ ହରାଇ, ନିଜ ପାଇଁ ତଥା ସମାଜ ପାଇଁ ବିପର୍ଯ୍ୟୟର କାରଣ ହୋଇଯାଏ।

ଏଥିପାଇଁ ପ୍ରତିକାର କ’ଣ ?

ଉତ୍ତର କେବଳ ଗୋଟିଏ। ତାହା ହେଲା – “ଆତ୍ମାନୁଶୀଳନ”।

ଦର୍ପଣର ସହାୟତାରେ ନିଜର ବାହ୍ୟ ଚେହେରାକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବା, ବହୁତ ହେଲାଣି। ଏବେର ଆହ୍ବାନ ହେଲା – “ଚରିତ୍ର ନିର୍ମାଣ ଏବଂ ସଂରକ୍ଷଣ”। ପ୍ରତ୍ୟହ୍ୟ ଆତ୍ମାନୁଶୀଳନ ମାଧ୍ୟମରେ, ନିଜେ ନିଜକୁ ସଜାଡି ପାରିଲେ, ମଣିଷ ଭିତରେ ଥିବା ସମସ୍ତ ନକାରାତ୍ମକ ଆବେଗ ଗୁଡ଼ିକ ସ୍ବତଃ ଅପସରି ଯିବ। ନିଃସନ୍ଦେହ।

ଫୋନ ନମ୍ବର – ୯୪୩୭୧୩୦୮୪୮