ଓଡିଶା ବିଧାନସଭା ସମାଚାର

0
15

ରାଜଧାନୀରେ ୧୫ଲକ୍ଷରୁ ଅଧିକ ଯାନବାହାନ ପଞ୍ଜିକୃତ

ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଥିବାବେଳେ ଏଠାରେ ମୋଟ୍‌ ୧୫,୨୦,୩୪୬ ଗୋଟି ବିଭିନ୍ନ କିସମର ଯାନବାହାନ ପଞ୍ଜିକୃତ ହୋଇଛି । ଏହାଛଡା ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଯାନବାହାନ ମଧ୍ୟ ଏଠାରେ ଚଳାଚଳ କରୁଛି ।
ରାଜଧାନୀର ଚଳାଚଳ କରୁଥିବା ଯାନବାହାନ ଓ ଏଗୁଡିକୁ ରଖିବାପାଇଁ ସ୍ଥାନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜଧାନୀରେ ପଞ୍ଜିକୃତ ୧୫ଲକ୍ଷରୁ ଅଧିକ ଯାନବାହାନ ସହିତ ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକୃତ ଯାନ ବାହାନ ଏଠାରେ ଚଳାଚଳ କରୁଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପାର୍କିଂ ସ୍ଥଳ ନିର୍ମାଣ କରୁଛନ୍ତି ।

ପାର୍ଟ ଫାଇଲ୍‌ ଜମି ପଞ୍ଜିକରଣରେ ଗଞ୍ଜାମ ଆଗରେ
ରାଜ୍ୟ ସରକାର ଜମିକୁ ଭାଗ (ପାର୍ଟ ଫାଇଲ୍‌) କରି ବିକ୍ରି ଲାଗି ଅନୁମତି ଦେବାପରେ ସମଗ୍ର ରାଜ୍ୟରେ ଲୋକେ ଆବଶ୍ୟକତା ମୁତାବକ ନିଜ ନିଜ ଜମିକୁ ଭାଗ କରି ବିକ୍ରି କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଏଭଳି ଭାଗ ଜମି ସର୍ବାଧିକ ୧୧ ହଜାରରୁ ଅଧିକ ପଞ୍ଜିକୃତ ହୋଇ ସାରିଲାଣି ।
ଜମି ଭାଗ କରି ବିକ୍ରି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଲୋକେ ନିଜର ଜମିକୁ ଭାଗ କରି ବିକ୍ରି କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକୁ ଗତ ବର୍ଷ ଜୁନ୍‌ ମାସରେ ସରଳୀକରଣ କରାଯାଇଥିଲା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏ ନେଇ ଗତବର୍ଷ ଅକ୍ଟୋବର ମାସରେ ବିସ୍ତୃତ ନିଦେ୍ର୍ଦଶନାମା ଜାରି କରିଥିଲେ । ଏହାକୁ ପାଳନ କରିବାପାଇଁ ସମସ୍ତ ପଞ୍ଜିକରଣ ଅଧିକାରୀଙ୍କ ସ୍ପଷ୍ଟିକରଣ ପ୍ରଦାନ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଏହି ନିୟମ ବଳରେ ସମଗ୍ର ରାଜ୍ୟରେ ପାର୍ଟ ଫାଇଲ୍‌ ପଞ୍ଜିକରଣ ଚାଲିଥିବାବେଳେ ଗଞ୍ଜାମରେ ସର୍ବାଧିକ ୧୧ହଜାର ପଞ୍ଜିକରଣ ହୋଇଛି । କଟକ ଓ ଖୋରଧା ଜିଲ୍ଲାରେ ୫ହଜାରରୁ ଅଧିକ କରି ଏଭଳି ପଞ୍ଜିକରଣ ହୋଇଥିବାବେଳେ ଯାଜପୁର ଓ ପୁରୀ ଜିଲ୍ଲାରେ ୩ହଜାରରୁ ଅଧିକ କରି ପଞ୍ଜିକରଣ ହୋଇଛି । ବାଲେଶ୍ୱରରେ ଏଭଳି ପଞ୍ଜିକରଣ ସଂଖ୍ୟା ୨୮୫୭, ଭଦ୍ରକରେ ୨୫୭୭, କେନ୍ଦ୍ରାପଡାରେ ୨୩୪୮ ହୋଇଥିବାବେଳେ ମୟୁରଭଞ୍ଜରେ ଏହା ୧୩୬୫ ରହିଛି । ସବୁଠାରୁ ମାତ୍ର ୨ଟି ପଞ୍ଜିକରଣ ଦେବଗଡ ଜିଲ୍ଲାରେ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।

ନଅଟି ବ୍ଲକରେ ନିୟମିତ ହ୍ରାସ ପାଉଛି ଭୂତଳ ଜଳ ସ୍ତର
ରାଜ୍ୟର ନଅଟି ବ୍ଲକରେ ନିୟମିତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହିସବୁ ବ୍ଲକ ମଧ୍ୟରେ ଭୁବନେଶ୍ୱର ଓ ଖୋରଧା ରହିଥିବା ଜଣାଯାଇଛି ।
ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ନିୟମିତ ଭାବେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା ୯ଟି ବ୍ଲକ ହେଉଛି ତାଳଚେର, ବାଲିଆପାଳ, କୋରେଇ, ଝାରସୁଗୁଡା, ଭୁବନେଶ୍ୱର, ବୋଲଗଡ, ଖୋରଧା, ନୟାଗଡ ଓ ନୂଆପଡା । ଏହିସବୁ ଜିଲ୍ଲାଗୁଡିକରେ ଭୂତଳ ଜଳସ୍ତର ହ୍ରାସ ମଧ୍ୟମ ଧରଣର ବିପଦରେ ଥିବା କୁହାଯାଇଛି ।
ଉତ୍ତରରେ ଆହୁରି ଦର୍ଶାଯାଇଛି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି କରିବାପାଇଁ ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ଛତା ଓ ଅରୁଆ ନାମରେ ଦୁଇ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଛଡା ରାଜ୍ୟ ସରକାର ଭୂତଳ ଜଳସ୍ତରକୁ ବୃଦ୍ଧି କରିବା ଓ ଏହାକୁ ରିଚାର୍ଜ କରିବାପାଇଁ ବିଭିନ୍ନ ବନ୍ଧ, ବ୍ୟାରେଜ ଓ ନଦୀ ମଧ୍ୟରେ ଜଳଧାରଣ ଭିତ୍ତିଭୂମି ଆଦି ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
ଝାରସୁଗୁଡାରେ ବିଭିନ୍ନ ବର୍ଗରେ ୨୨୫ ପଦବୀ ଖାଲି ପଡିଛି
ଝାରଗୁସୁଡା ଜିଲ୍ଲାରେ ଥିବା ବିଭନ୍ନ ସରକାରୀ ପଦ ପଦବୀ ମଧ୍ୟରୁ ୨୨୫ଟି ପଦବୀ ଖାଲି ପଡିଛି । ଏଥି ମଧ୍ୟରେ ତୃତୀୟ ଶ୍ରେଣୀ ପାହ୍ୟାରେ ସର୍ବାଧିକ ୧୦୩ ପଦବୀ ଖାଲି ପଡିଥିବା ରାଜସ୍ୱ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଝାରସୁଗୁଡା ଜିଲ୍ଲାରେ ପଦ ପଦବୀ ଖାଲି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜିଲ୍ଲାପାଇଁ ପ୍ରଥମଶ୍ରେଣୀ ପାହ୍ୟାରେ ଥିବା ସମସ୍ତ ୨୨ ମଞ୍ଜୁରୀପ୍ରପା୍‌ତ ପଦବୀରେ ଅଧିକାରୀମାନେ ରହିଥିାବବେଳେ ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୯୬ଟି ପଦବୀ ମଧ୍ୟରୁ ୨୧ଟି ଖାଲି ପଡିଛି । ଖାଲି ପଡିଥିବା ପଦବୀ ମଧ୍ୟରେ ୨ଟି ସହକାରୀ ଜିଲ୍ଲାପାଳ, ୬ଟି ସେକ୍ସନଅଫିସର ଓ ୧୩ଟି ରାଜସ୍ୱ ନିରୀକ୍ଷକ ପଦବୀ ରହିଛି ।
ସେହିଭଳି ତୃତୀୟ ଶ୍ରେଣୀ ପାହ୍ୟାରେ ଥିବା ୨୬୮ଟି ପଦବୀ ମଧ୍ୟରୁ ୧୦୩ ଟି ଖାଲି ପଡିଛି । ଏଥି ମଧ୍ୟରେ ସର୍ବାଧିକ ୫୨ଟି ଜେଆରଏ ପଦବୀ ଥିବାବେଳେ ୨୦ଟି ସହକାରୀ ରାଜସ୍ୱ ନିରୀକ୍ଷକ ପଦବୀ ରହିଛି । ଚତୁର୍ଥ ଶ୍ରେଣୀ ପାହ୍ୟାରେ ଜିଲ୍ଲାରେ ୧୦୮ଟି ପଦବୀ ଥିବାବେଳେ ଏଥିରୁ ୧୦୧ଟି ଖାଲି ପଡିଛି । ୭୪ଟି ପିଅନ ପଦବୀରେ ମାତ୍ର ୫ଜଣ ଥିବାବେଳେ ୧୩ଟି ଜଗୁଆଳି-ଝାଡୁଦାର ପଦବୀରେ ମାତ୍ର ୨ଜଣ ଅଛନ୍ତି । ଚେନ୍‌ମ୍ୟାନ, ପ୍ରୋସେସ ସର୍ଭେୟର ଆଦି ସମସ୍ତ ପଦବୀ ଖାଲି ପଡିଛି ।