ଭାରତ-ରୁଷିଆ ବନ୍ଧୁତାର ନୂଆ ସୋପାନ

0
50

ଚଳିତ ମାସ ୪-୫ ଡିସେମ୍ବର ୨୦୨୫ରେ ୨୩ତମ ଭାରତ-ରୁଷିଆ ଶିଖର ବୈଠକରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ଆସିଥିଲେ । ୨୦୨୧ପରଠାରୁ ୟୁକ୍ରେନ ସହ ଯୁଦ୍ଧରେ ବ୍ୟସ୍ତଥିବା କାରଣରୁ ପୁତିନ ଭାରତ ଗସ୍ତରେ ଆସି ନଥିଲେ । ଏହି ଯୁଦ୍ଧ ଏବେ ମଧ୍ୟ ଜାରି ରହିଥିବାବେଳେ ରୁଷିଆଠାରୁ ଭାରତ ଶସ୍ତାରେ ତୈଳ କିଣିବାକୁ କେନ୍ଦ୍ରକରି ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଆମେରିକା ଓ ୟୁରୋପର ରାଷ୍ଟ୍ରଗୁଡିକ ନିଜ ଆବଶ୍ୟକତା ପାଇଁ ରୁଷିଆ ସହ ବାଣିଜି୍ୟକ ସଂପର୍କ ଜାରି ରଖିଥିବା ସ୍ଥଳେ ଭାରତ ଯେପରି ଶସ୍ତାରେ ତୈଳ କିଣିବାର ସୁବିଧା ନପାଇବ ସେହି ଯୋଜନାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଅତୀତରେ ଭାରତର ଜଟିଳ ପରିସ୍ଥିତିରେ ଯେପରି ରୁଷିଆ ବିଶ୍ୱମଞ୍ଚରେ ଭାରତକୁ ସାହାଯ୍ୟ କରି ଆସିଛି ଠିକ୍ ସେମିତି ରୁଷିଆର ଏହି କଷ୍ଟକର ସମୟରେ ଭାରତ ରୁଷିଆରୁ ତୈଳ କ୍ରୟ କରି ୟୁରୋପରେ ଏକପ୍ରକାର ଏକଘରିଆ ହୋଇଥିବା ରୁଷିଆକୁ ବାଣିଜ୍ୟରେ ସାହାଯ୍ୟ କରି ଆସିଛି । ଦୁଇଦେଶ ମଧ୍ୟରେ ରହି ଆସିଥିବା ବନ୍ଧୁତା ଏହି କଷ୍ଟକର ସମୟରେ ଅଧିକ ସଶକ୍ତ ହୋଇଛି ।
ରୁଷିଆର ରାଷ୍ଟ୍ରପତି ପାଲାମ ବିମାନ ବନ୍ଦରରେ ପହଞ୍ଚôବା କ୍ଷଣି ତାଙ୍କୁ ରେଡ କାର୍ପେଟରେ ସ୍ୱାଗତ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ । ପାରମ୍ପାରିକ ନୃତ୍ୟ-ସଂଗୀତ ସହ ରୁଷିଆର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପରେ ପ୍ରଧାନମନ୍ତ୍ରୀ ମୋଦୀ ପୁତିନଙ୍କୁ ନିଜ କାରରେ ବସାଇ ନେଇଥିଲେ । କାର୍ରେ ଯିବାବେଳେ ଦୁଇ ରାଷ୍ଟ୍ରନେତା ବେଶ ସହଜ ଢଙ୍ଗରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଥିଲା । ୨୫ବର୍ଷ ପୂର୍ବେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଦୁଇଦେଶ ମଧ୍ୟରେ ରଣନୀତିକ ସଂପର୍କ ସ୍ଥାପନା ପାଇଁ ଯେଉଁ ପ୍ରୟାସର ଶୁଭାରମ୍ଭ କରାଯାଇଥିଲା ସେତେବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନିଜେ ଅଟଳଜୀଙ୍କ ସହ ଉପସ୍ଥିତ ରହିଥିଲେ । ୨୦୧୦ରେ ଏହି ସଂପର୍କକୁ ଅଧିକ ସୁଦୃଢ କରିବାଲାଗି ସ୍ୱତନ୍ତ୍ର ଓ ସୁବିଧାଜନକ ସ୍ଥିତିକୁ ଦିଆଯାଇଥିଲା । ଗତ ୧୦ବର୍ଷରେ ସେହି ସଂପର୍କ ଅଧିକ ସୁଦୃଢ ହୋଇଛି । ପ୍ରତିରକ୍ଷା କ୍ରୟ ଆଧାରିତ ବାଣିଜ୍ୟ ଏବେ ରୁଷିଆ ସହ ଭାରତର ଦୁର୍ବଳ ହୋଇଥିଲେ ମଧ୍ୟ ବନ୍ଦ ହୋଇନାହିଁ ବରଂ ଆବଶ୍ୟକତା ଅନୁଯାୟୀ ସ୍ପଷ୍ଟ ହୋଇଛି ।
ରୁଷିଆର ରାଷ୍ଟ୍ରପତିଙ୍କୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ୨୧ତୋପର ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପୁତିନ ରାଜଘାଟଯାଇ ଗାନ୍ଧିଜୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରୁଷିଆର ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ନୈଶ୍ୟ ଭୋଜିର ବ୍ୟବସ୍ଥା ହୋଇଥିଲା । ପୁତିନଙ୍କୁ ଭାରତର କାଶ୍ମିରୀ କେଶର,ମୁର୍ଶିଦାବାଦର ରୂପା ·ହା କପ୍, ଆସାମର କଳା·ହା, ରୁଷିଆର ଭାଷାରେ ପ୍ରକାଶିତ ଭଗବତଗୀତାର କପିକୁ ଉପହାରସ୍ୱରୂପ ଭାରତର ପ୍ରଧାନମନ୍ତ୍ରୀ ଦେଇଥିଲେ । ତେବେ ପୁତିନଙ୍କ ଗସ୍ତ ପୂର୍ବରୁ ରୁଷିଆର ସଂସଦ ଡୁମାରେ ଚଳିତ ମାସ ଡିସେମ୍ବର ପ୍ରଥମ ସପ୍ତାହରେ ରେଲୋସ ପ୍ରସ୍ତାବ ଗୃହୀତ ହୋଇଥିଲା । ଭାରତ ଯେପରି ଆମେରିକା (ଲେମୋଆ) ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜାପାନ ସହ ସାମୁଦ୍ରିକ ଚଳାଚଳ ଓ ପରିବହନ ପାଇଁ ବୁଝାମଣା କରିଛି, ଠିକ୍ ସେମିତି ରେଲୋସ ବୁଝାମଣା ପରେ ରୁଷିଆର ଯୁଦ୍ଧ ବିମାନକୁ ଭାରତର ସାମରିକ ଘାଟୀରେ ଅବତରଣର ସୁବିଧା ମିଳିବ । ସାମରିକ ଯୁଦ୍ଧପୋତଗୁଡିକ ଭାରତ ମହାସାଗରରେ ଚଳାଚଳ କରିବା ସହ ଭାରତରେ ମରାମତିର ସୁବିଧା ପାଇପାରିବେ । କାରଣ ଭାରତ ବ୍ୟବହାର କରୁଥିବା ରୁଷିଆମୂଳ ଯୁଦ୍ଧପୋତ ବିକ୍ରିମାଦିତ୍ୟ,ତଲୱାର ଶ୍ରେଣୀର ଫ୍ରିଗେଟ, କିଲୋ କ୍ଲାସ ସବ୍ମେରିନ ଗୁଡିକର ମରାମତି ପାଇଁ ରୁଷିଆର ବନ୍ଦରଗୁଡିକୁ ଯିବା ଆବଶ୍ୟକ ହେଉଛି । ଏବେ ରୁଷିଆ ଭାରତ ପାଇଁ ଉତ୍ତରମେରୁ ସାଗରର ବନ୍ଦର ମୁରମୁନସ୍କ ଏବଂ ପୂର୍ବ ରୁଷିଆର ଭ୍ଲାଡିଭୋଷ୍ଟକକୁ ଭାରତ ପାଇଁ ପ୍ରବେଶ ଅନୁମତି ପ୍ରଦାନ କରିଛି । ଫଳରେ ଭାରତ ମଲାକା ପ୍ରଣାଳୀ ମଧ୍ୟ ଦେଇ ବେରିଂ ପ୍ରଣାଳୀ ନିକଟରେ ଉତ୍ତର ଆଟଲାଣ୍ଟିକ ମହାସାଗର ଜଳପଥରେ ନିଜର ସ୍ଥିତିକୁ ମଜଭୁତ କରିପାରିବ । ଭାରତ ମହାସାଗରରେ ଚୀନ ଏବଂ ଆମେରିକା ନିଜ ନିଜର ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ପ୍ରୟାସ ·ଲୁ ରଖିଥିଲାବେଳେ ରୁଷିଆର ଯୁଦ୍ଧପୋତ ଭାରତ ମହାସାଗରରେ ପ୍ରବେଶ କରିବା ପରେ ସେହି ଦୁଇରାଷ୍ଟ୍ରର ପ୍ରଭୁତ୍ୱ ହ୍ରାସ ପାଇବ । ସାମୁଦ୍ରିକ ଜଳପଥ ଯେ ସମସ୍ତଙ୍କର, ସବୁଦେଶ ପାଇଁ ତାହା ଜଣାପଡିବ । କାରଣ ଏହାଦ୍ୱାରା ରୁଷିଆ ଭାରତ-ମହାସାଗରରେ ନିଜର ସ୍ଥିତିକୁ ମଜଭୁତ କରିବା ସହ ଆଫ୍ରିକାର ରାଷ୍ଟ୍ରଗୁଡିକରେ ନିଜର ସଂପର୍କକୁ ଅଧିକ ସୁଦୃଢ କରିପାରିବ । ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ଏବେ ରୁଷିଆ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପ୍ରତିରକ୍ଷା ଶକ୍ତି ଓ ପ୍ରାକୃତିକ ସଂପଦ ପାଇଁ ରୁଷିଆ ଆଫ୍ରିକାର ଦେଶଗୁଡିକ ସହ ନିଜର ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ କରିବାକୁ ପ୍ରୟାସ ଚଳାଇଛି । ଅନ୍ୟ ଭାଷାରେ କହିଲେ ୟୁରୋପରେ ଏକପାଖିଆ ସ୍ଥିତିରେ ରହିଥିବା ରୁଷିଆ ଦକ୍ଷିଣ ବିଶ୍ୱ ସହ ଅଧିକ ଯୋଡି ହେବା ପାଇଁ ପ୍ରୟାସ ଚଳାଇଛି । ଏହି ବୁଝାମଣା ପରେ ଚେନ୍ନାଇରୁ ଭ୍ଲାଡିଭୋଷ୍ଟକକୁ ଜଳମାର୍ଗରେ ପରିବହନ ପାଇଁ ସୁବିଧା ହେବ । ରୁଷିଆର ଶକ୍ତି ସଂପଦରେ ପୂର୍ଣ୍ଣ ଉତ୍ତରମେରୁ ଓ ଭ୍ଲାଡିଭୋଷ୍ଟକର ନିବେଶ ସହ ପ୍ରବେଶର ସୁବିଧା ଭାରତ ପାଇବ । ଯାହାଫଳରେ ପୁଞ୍ଜିନିବେଶ ଦୃଷ୍ଟିରୁ ଚୀନ ଉପରେ ରୁଷିଆର ନିର୍ଭରତା ହ୍୍ରାସ ପାଇବ ।
ରୁଷିଆର ଆର୍ଥôକ ମେରୁଦଣ୍ଡକୁ ଭାଙ୍ଗିବା ପାଇଁ ଆମେରିକା ସମେତ ୟୁରୋପର ନାଟୋ ମେଣ୍ଟର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡିକ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି । ଅଥଚ ହଜାର ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ଭାରତ ବିଶ୍ୱ ମଞ୍ଚରେ ସମର୍ଥନ ସହ ବାଣିଜ୍ୟ କ୍ଷେତ୍ରରେ ରୁଷିଆ ପାଇଁ ଶକ୍ତି କ୍ଷେତ୍ରକୁ ଖୋଲିଦେବା କାରଣରୁ ତୈଳ ଓ ଆଣବିକ ସହଯୋଗ କ୍ଷେତ୍ରରେ ରୁଷିଆ ଭାରତରେ ନିଜର ସ୍ଥିତିକୁ ମଜଭୁତ କରିଛି । ନିକଟରେ ଭାରତ ସରକାର ଆଣବିକ ଶକ୍ତିକ୍ଷେତ୍ର ବେସରକାରୀ କମ୍ପାନୀଗୁଡିକ ପାଇଁ ଖୋଲିଦେବା କାରଣରୁ ରୁଷିଆର କମ୍ପାନୀମାନେ ଭାରତର କମ୍ପାନୀଗୁଡିକ ସହ ମିଳିତ ପ୍ରକଳ୍ପରେ ଯୋଗଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେବେ । ରୁଷିଆ ନିକଟରେ ଭାସମାନ, ପରିବହନଶୀଳ ଆଣବିକ ଶକ୍ତି ପ୍ରକଳ୍ପଗୁଡିକ ରହିଛି । ଏହି ମଡେଲ ଭାରତରେ କାର୍ଯ୍ୟ କଲେ ବିଦୁ୍ୟତ ଶକ୍ତିର ମୂଲ୍ୟ ହ୍ରାସପାଇବା ସହ ପରିବହନ ବିତରଣ ଖର୍ଚ୍ଚ କମ୍ ହେବା ସହ ଦୂର ଦୂରାନ୍ତର ଏପରିିକି ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ଏହି ଛୋଟ ଆଣବିକ ବିଦୁ୍ୟତଶକ୍ତି ପ୍ରକଳ୍ପଗୁଡିକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ସ୍ଥାନରେ ବସାଇହେବ । ଏହାଦ୍ୱାରା ଉତ୍ତର ପୂର୍ବାଞ୍ଚଳର ରାଜ୍ୟ, ହିମାଳୟ ପାଦଦେଶ ନିକଟବର୍ତ୍ତୀ ଅଞ୍ଚଳ ସମେତ ଦେଶର ପାହାଡ, ପର୍ବତ ଏବଂ ଜଙ୍ଗଲରେ ରହୁଥିବା ପଡା ଅଧିବାସୀମାନଙ୍କର ଜୀବନ ସହଜ ହେବ । ସେସବୁ ଦୁର୍ଗମ ଅଞ୍ଚଳରେ ଏହି ଛୋଟ ପ୍ରକଳ୍ପ ବର୍ଷ ବର୍ଷ ଧରି କାର୍ଯ୍ୟକରିବ, ବିନାବାଧାରେ ଓ ଅଳ୍ପ ଖର୍ଚ୍ଚରେ । ଫଳରେ ଭାରତର ବିଦୁ୍ୟତଶକ୍ତି ଉତ୍ପାଦନ ସମସ୍ୟା ଅନେକ ମାତ୍ରାରେ ହ୍ରାସ ପାଇବ । ଏବେ ଗୋଟିଏ ପଟେ ୟୁରୋପକୁ ଛାଡିବାକୁ ଆମେରିକା ·ହୁଁଥିବା ସମୟରେ ରୁଷିଆକୁ ମଧ୍ୟ ଛାଡିବାକୁ ·ଚେହୁଁଛି । ଭାରତକୁ ପୁତିନ ଆସିଥିଲାବେଳେ ୟୁରୋପର ଫ୍ରାନ୍ସ ଜର୍ମାନୀ ଏବଂ ବ୍ରିଟେନର ନୂଆଦିଲ୍ଲୀସ୍ଥିତ ରାଜଦୂତମାନେ ମିଳିତଭାବେ ପୁତିନଙ୍କୁ ବିରୋଧ କରି ଯେଉଁ ଲେଖା ଲେଖିଥିଲେ ଭାରତ ସରକାରଙ୍କ ପକ୍ଷରୁ ତାର ପ୍ରତିବାଦ କରାଯାଇଥିଲା । ଭାରତ-ରୁଷିଆ ମଧ୍ୟରେ ରହିଥିବା ପୁରୁଣା ସଂପର୍କକୁ ଭାଙ୍ଗିବାପାଇଁ ଏହା ଏକ ଷଡଯନ୍ତ୍ର ଛଡା ଅନ୍ୟ କିଛି ନୁହେଁ । ବିଗତ ବର୍ଷମାନଙ୍କରେ ୟୁରୋପ ପକ୍ଷରୁ ଅନେକ ବିଶ୍ୱ ମଞ୍ଚରେ ଭାରତକୁ ଟାର୍ଗେଟ କରାଯାଇଛି । ଭାରତର ବିଦେଶମନ୍ତ୍ରୀ ଅନେକ ମଞ୍ଚରେ କଠୋର ଭାଷାରେ ୟୁରୋପର ରାଷ୍ଟ୍ରଗୁଡିକୁ ସେଥିପାଇଁ ସମାଲୋଚନା ମଧ୍ୟ କରିଛନ୍ତି । ଭାରତ ସହ ରୁଷିଆର ସଂପର୍କକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ରାଷ୍ଟ୍ରଗୁଡିକୁ ପୁତିନ ଯେ କୈାଣସି ପଦକ୍ଷେପ ନେଇପାରନ୍ତି ବୋଲି କହିଛନ୍ତି ।
ପୁତିନଙ୍କ ଭାରତ ଗସ୍ତ କାଳରେ ପ୍ରମୁଖ ୧୬ଟି ବୁଝାମଣା ହୋଇଥିଲା । ତନ୍ମଧ୍ୟରେ ୨୦୩୦ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ବର୍ତ୍ତମାନର ୬୪ରୁ ୧୦୦ ବିଲିଅନ ଡଲାର ସ୍ତରକୁ ନେବାଲାଗି ଦୁଇଦେଶ ଏକମତ ହୋଇଥିଲେ । ରୁଷିଆର ଲୋକଙ୍କୁ ଭାରତ ପକ୍ଷରୁ ୩୦ଦିନ ପାଇଁ ମାଗଣା ପର୍ଯ୍ୟଟକ ଭିସା ଦେବାଲାଗି ଘୋଷଣା ହୋଇଥିଲା । ଭାରତର ଔଷଧ କମ୍ପାନୀଗୁଡିକ ରୁଷିଆରେ ନିଜ ଔଷଧ ପ୍ରସ୍ତୁତି ଏବଂ ବିକ୍ରି ପାଇଁ ସୁଯୋଗ ପାଇବେ । ଭାରତରେ ଜାହାଜ ନିର୍ମାଣ ଶିଳ୍ପ କ୍ଷେତ୍ରରେ ରୁଷିଆର କମ୍ପାନୀମାନେ ସୁଯୋଗ ପାଇବେ । କ୍ରୀଡା କ୍ଷେତ୍ରରେ ରୁଷିଆର ଖେଳାଳୀମାନଙ୍କ ଜିମ୍ନାଷ୍ଟିକ, ଫୁଟବଲ, ଆଥଲେଟିକ୍ସରେ ଅଧିକ ଦକ୍ଷତା ରହିଥିବାରୁ ଭାରତୀୟ ଖେଳାଳିମାନଙ୍କର ଦକ୍ଷତାବୃଦ୍ଧି ପାଇଁ ରୁଷିଆ ପକ୍ଷରୁ ସହଯୋଗ କରାଯିବ । ସେମିତି ସିନେମା ଓ ମନୋରଂଜନ କ୍ଷେତ୍ରରେ ଭାରତର ଅଧିକ ଦକ୍ଷତା ରହିଥିବା ହେତୁ ରୁଷିଆର ଟେଲିଚ୍ୟାନେଲ ପାଇଁ ଭଲ ଧାରାବାହିକ ପ୍ରସ୍ତୁତି, ଡବିଂ, ମିଳିତ ସିନେମା ପ୍ରଯୋଜନାର ସୁଯୋଗ ବଢିବ । ଯୁଦ୍ଧରେ କ୍ଷତିଗ୍ରସ୍ତ ରୁଷିଆର ପୁନଃ ନିର୍ମାଣ କ୍ଷେତ୍ରରେ ଭାରତର ପ୍ରଶିକ୍ଷିତ ଶ୍ରମିକମାନେ ରୁଷିଆରେ କାର୍ଯ୍ୟକରିବାର ସୁଯୋଗ ବଢିବ । ଭାରତରେ ସାର ଅଭାବ ହେଉଥିବା ହେତୁ ଭାରତୀୟ ସାର କମ୍ପାନୀମାନେ ରୁଷିଆର ସାର କମ୍ପାନୀଙ୍କ ସହଯୋଗରେ ନିଜର କମ୍ପାନୀ ରୁଷିଆରେ ବସାଇ ସେଠାରୁ ସବୁସାର ଦେଶକୁ ରପ୍ତାନୀ କରିପାରିବେ ବୋଲି ସ୍ଥିର ହୋଇଛି । ଦୁଇ ଦେଶ ମଧ୍ୟରେ ନବସର୍ଜନକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ । ମହାକାଶର ଗବେଷଣା, ମହାକାଶଯାତ୍ରା ପାଇଁ ଇନ୍ଧନ ଯୋଗାଣ କ୍ଷେତ୍ରରେ ରୁଷିଆ ସହଯୋଗ କରିବାକୁ ରାଜି ହୋଇଛି । ଏପରିକି ରୁଷିଆର ମହାକାଶଯାନ ଉତ୍କ୍ଷେପଣସ୍ଥଳୀକୁ ଭାରତ ମଧ୍ୟ ବ୍ୟବହାର କରିପାରିବ । ଦୁଇଦେଶ ଏହି କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବେ । ପରିବହନ ପାଇଁ ଜଳପଥ, ସଡକପଥ, ରେଳପଥକୁ ଉପଯୋଗ କରାଯିବ । ରୁଷିଆ ସମ୍ଭାବ୍ୟ ମାର୍ଗଗୁଡିକ ବ୍ୟବହାର କରି ଅଧିକ ମାଲ ଭାରତରୁ କିଣିବାକୁ ଚେଷ୍ଟା କରିବ । ରୁଷିଆର କାଜାନ ଏବଂ ୟେକଟେରିନବର୍ଗଠାରେ ଭାରତର ଦୁଇଟି କନସୁଲେଟ ଜେନେରାଲ ଅଫିସ ଖୋଲିବାକୁ ରୁଷିଆ ସରକାର ଅନୁମତି ଦେଇଛନ୍ତି । ଟଙ୍କା-ରୁବଲର ଅଧିକ ବ୍ୟବହାର କରିବାକୁ ଦୁଇଦେଶ ଏକମତ ହୋଇଛନ୍ତି । ପ୍ରତିରକ୍ଷା ସାମଗ୍ରୀଗୁଡିକର ଭାରତରେ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଦୁଇଦେଶ ରାଜି ହୋଇଛନ୍ତି । ମହାକାଶ କ୍ଷେତ୍ରରେ ·ଲିଥିବା ଅସ୍ତ୍ର ପ୍ରତିଯୋଗିତା ହ୍ରାସ କରିବାକୁ ଦୁଇଦେଶ ଏକମତ ହୋଇଥିଲେ । ଆନ୍ତର୍ଜାତିକ ସ୍ତରରେ ସନ୍ତ୍ରାସବାଦ ବିରୋଧରେ ଦୁଇଦେଶ କାର୍ଯ୍ୟ କରିବେ । ଆଫଗାନିସ୍ଥାନରେ ସ୍ଥିରତା ପ୍ରତି ଦୁଇଦେଶ ଦୃଷ୍ଟି ରଖିଥିବା କଥା ପ୍ରକାଶ ପାଇଥିଲା । ୨୦୨୬ରେ ୨୪ଶ ଭାରତ-ରୁଷିଆ ବାର୍ଷିକ ଶିଖର ବୈଠକ ରୁଷିଆରେ ଅନୁଷ୍ଠିତ ହେବ । ତେଣୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସେଥିରେ ଯୋଗଦାନ କରିବାକୁ ପୁତିନ ନିମନ୍ତ୍ରଣ ଦେଇଥିଲେ ।
ସୁଖୋଇ -୫୭, ଏସ୍-୫୦୦ ସହ ଅନ୍ୟାନ୍ୟ ବଡ ପ୍ରତିରକ୍ଷା ସାମଗ୍ରୀ କିଣାବିକା ଖବର ପ୍ରକାଶ ପାଇବ ବୋଲି ଯାହା ଆଗରୁ ଆଶା କରାଯାଉଥିଲା ତାହା ହୋଇନାହିଁ ସତ, ହେଲେ ଉଭୟ ରାଷ୍ଟ୍ର ଯେଉଁ ମିଳିତ ନିର୍ମାଣ କଥା କହିଛନ୍ତି ସେ ସବୁରେ ପ୍ରତିରକ୍ଷା ସାମଗ୍ରୀ ରହିଛି,ଯାହା ଆଗାମୀ ଦିନରେ ଧୀରେଧୀରେ ପ୍ରକାଶକୁ ଆସିପାରେ । ଭାରତ -ରୁଷିଆ ବନ୍ଧୁତା ଆଗାମୀ ଦିନରେ ଅଧିକ ସଶକ୍ତ, ସକ୍ରୀୟ, ସଫଳ ହେବ ବୋଲି ପୁତିନ ଏହି ଯାତ୍ରା ଦ୍ୱାରା ବିଶ୍ୱକୁ ଜଣାଇଛନ୍ତି ।